ଈଶ୍ବର ବିଶ୍ବାସ

କଥାଟିଏ-ଯାଯାବର

ଜଣେ ପର୍ବତାରୋହୀ ଶୃଙ୍ଗ ଆରୋହଣ କରିବା ପରେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ହଠାତ୍‌ ଭୀଷଣ ତୁଷାର ଝଡ଼ ଆରମ୍ଭ ହୋଇଗଲା। ଚାରି ଆଡୁ ଅନ୍ଧାର ଘୋଟି ଆସିଲା। ସମୟ ବି ସଞ୍ଜ ନିକଟବର୍ତ୍ତୀ ହୋଇ ଆସିଥିଲା। ରାତି ହେବା ପୂର୍ବରୁ ସେ ଗୋଟିଏ ବେସ୍‌ କ୍ୟାଂପ୍‌ରେ ପହଞ୍ଚିବାକୁ ଚାହୁଁଥିଲେ। ତେଣୁ ‌େସ ତରତର ହୋଇ ଓହ୍ଲାଇବାକୁ ଚାହୁଁଥିଲେ। ନିରନ୍ଧ୍ର ଅନ୍ଧକାର ମଧ୍ୟରେ କିଛି ଦିଶୁ ନ ଥିଲା। ଏହି ସମୟରେ ତାଙ୍କ ପାଦ ଖସିଗଲା ଏବଂ ସେ ଶରୀରରେ ବନ୍ଧା ଦଉଡ଼ିରେ ଝୁଲି ରହିଲେ।
ପ୍ରବଳ ଶୀତ, ଉଦ୍‌ବେଗ ଓ ଭୟରେ ତାଙ୍କ ମୁଣ୍ଡ କାମ କଲା ନାହିଁ। ବଞ୍ଚାଇ ଦେବା ଲାଗି ସେ କେବଳ ଈଶ୍ବରଙ୍କୁ ଡାକୁଥିଲେ। ଏହି ସମୟରେ ତାଙ୍କୁ ଲାଗିଲା ଯେ ସ୍ବର୍ଗବାଣୀ ହେଉଛି- ଦଉଡ଼ିକୁ କାଟି ଦିଅ। ଅନ୍ଧକାର ଗର୍ଭରେ କେବଳ ସେହି ଦଉଡ଼ିକୁ ଆଶ୍ରା କରି ଝୁଲିଥିବା ବେଳେ ଏଭଳି କଥା ତାଙ୍କ ପଞ୍ଜରା ଥରାଇଦେଲା। ଦଉଡ଼ି କାଟିଦେବା ଅର୍ଥ ‌େକଉଁ ଅତଳ ଗଭୀରତାରେ ପଡ଼ି ନିଶ୍ଚିହ୍ନ ହୋଇଯିବା। ତେଣୁ ସେ ନିଜକୁ ବୁଝାଇ କହିଲେ- ଏହାକୁ ଶୁଣିବା ଅନୁଚିତ। ହୋଇପାରେ ଏହା ସଇତାନର ବାଣୀ ବା ମାନସିକ ଭାରସାମ୍ୟ ବିଭ୍ରଂଶ ହୋଇ ଅନାବନା କଥା ଶୁଭିବା ଭଳି ସ୍ଥିତି।
କିନ୍ତୁ କିଛି ସମୟ ପରେ ତାଙ୍କର ମନେ ପଡ଼ିଲା ଈଶ୍ବରଙ୍କ ପ୍ରତି ତାଙ୍କ ମା’ଙ୍କ ମନୋଭାବ ବିଷୟ। କେବେ କିଛି ପାଇବାର ଆଶ୍ବାସନା ନ ଥିବା ସତ୍ତ୍ବେ କେଉଁ ବିଶ୍ବାସରେ ମା’ ଠାକୁର ଫଟୋ ଆଗରେ ପ୍ରତି ଦିନ ଲୁହ ଝରାନ୍ତି?
ହଠାତ୍‌ ଏକ ଦୃଢ଼ ବିଶ୍ବାସ ଜାଗି ଉଠିଲା। ଏମିତି ବି ଥଣ୍ଡାରେ ଝୁଲି ରହି ରାତିରେ ପ୍ରାଣ ଚାଲିଯିବା ନିଶ୍ଚିତ। ତେଣୁ ସେ ଦଉଡ଼ିକୁ କାଟି ଦେବାକୁ ମନସ୍ଥ କଲେ।
ଆଖି ବନ୍ଦ କରି ଈଶ୍ବର ସୁମରଣା ସହିତ ଦଉଡ଼ିକୁ ନିଜ ଶରୀରରୁ ଖସେଇ ଦେଲେ। ମାତ୍ର ଫୁଟେ ତଳେ ଥିବା ଚଟାଣରେ ତାଙ୍କ ପାଦ ଲାଗିଲା। ଅବିଶ୍ବନୀୟ! ତାହା ମଧ୍ୟ ଥିଲା ସେହି ଚଟାଣ ଯେଉଁଠି ସେ ନିଜ ବେସ୍‌ କ୍ୟାଂପ୍‌ ବସାଇଥିଲେ।

ସମ୍ବନ୍ଧିତ ଖବର