ଜଣେ ଭଦ୍ର ଲୋକ ତାଙ୍କ ବୃଦ୍ଧ ପିତାଙ୍କର ଆଦୌ କୌଣସି ଯତ୍ନ ନେଲେ ନାହିଁ। ଯତ୍ନ ନେବା ତ ଦୂରର କଥା, ତାଙ୍କ ପ୍ରତି ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କଲେ। ବୃଦ୍ଧ ପିତା ଶେଷ ଜୀବନରେ ବହୁ ଦୁଃଖକଷ୍ଟ ସହି ଶେଷରେ ଆଖି ବୁଜିଲେ। ତାଙ୍କ ମୃତ୍ୟୁ ପରେ ଭଦ୍ରଲୋକ ଉଶ୍ବାସ ଅନୁଭବ କଲେ। ସେ ଭାବିଲେ ଶେଷରେ ବୋଝ ହଟିଲା।
ଭଦ୍ରଲୋକଙ୍କ ଗୋଟିଏ ପୁଅ। ସେ ଜେଜେବାପାଙ୍କୁ ବହୁତ ଭଲ ପାଉଥିଲା। ବାପାଙ୍କ ଏ ବ୍ୟବହାରକୁ ସେ ଭଲ ପାଉ ନ ଥିଲେ ବି ଭୟରେ କିଛି କହି ପାରୁ ନ ଥିଲା। ଅନେକ ସମୟରେ ସେ ଓ ତା’ ଜେଜେ ପରସ୍ପରକୁ ଚାହିଁ ଲୁହ ଗଡ଼ାନ୍ତି। ଦିନେ ଜେଜେ ନାତିକୁ କହିଲେ- ଦେଖ ପୁଅ, ତୁ ମୋତେ ଗୋଟିଏ କଥା ଦେ। ତୁ ଯେତେବେଳେ ବଡ଼ ହେବୁ ତୋ ବାପାମାଆଙ୍କ ପ୍ରତି ଏଭଳି କଦର୍ଯ୍ୟ ବ୍ୟବହାର କରିବୁ ନାହିଁ। ତୁ ସେମାନଙ୍କ ବୃଦ୍ଧ ବୟସରେ ମନ ଲଗାଇ ସେବାଯତ୍ନ କରିବୁ।
ଦିନ ଗଡ଼ିଗଲା। ଭଦ୍ରଲୋକ ବୃଦ୍ଧ ହୋଇ ଶଯ୍ୟାଶାୟୀ ହେଲେ। କିନ୍ତୁ ତାଙ୍କ ପୁଅ ତାଙ୍କର ସେବାଯତ୍ନରେ ଲାଗିଗଲା। ସାଇ ପଡ଼ିଶାର ଲୋକେ କହିଲେ ଭାଗ୍ୟରେ ଥିଲେ ଏମିତି ପୁଅ ମିଳେ। କେହି କେହି କହିଲେ- ଦେଖ, ସେ ନିଜେ ତାଙ୍କ ବାପାଙ୍କୁ କିଭଳି କଦର୍ଯ୍ୟ ବ୍ୟବହାର କରୁଥିଲେ, ଅଥଚ ସେ କେତେ ଭଲରେ ଅଛନ୍ତି! ସତରେ ଈଶ୍ବରଙ୍କ ବିଚାର ବିଚିତ୍ର। ସେ ଭଲ ମନ୍ଦ କିଛି ଦେଖନ୍ତି ନାହିଁ।
ଦିନେ ପୁଅ ଦେଖିଲା ବାପା କାନ୍ଦୁଛନ୍ତି। ସେ ବିସ୍ମିତ ହୋଇ କାରଣ ପଚାରନ୍ତେ ଭଦ୍ରଲୋକ କହିଲେ- ବାବୁରେ, ଆଉ ଦିନ କେଇଟା ଭିତରେ ମୁଁ ଏ ପୃଥିବୀ ଛାଡ଼ିବି। ଆର ଲୋକରେ ବାପାଙ୍କୁ କେମିତି ମୁହଁ ଦେଖାଇବି?
ପୁଅ ଜାଣିଲା ବାପା ଅନୁତାପର ଅନଳରେ ଜଳୁଛନ୍ତି। ସେ ବୁଝିଲା ଯେ ଈଶ୍ବର ତାଙ୍କ ବାଟରେ ଦଣ୍ଡ ଦିଅନ୍ତି।
ଈଶ୍ବରଙ୍କ ଦଣ୍ଡ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)