ଥରେ ରାଜା ରାଜ୍ୟର ପ୍ରସିଦ୍ଧ ତ୍ରିକାଳଦ୍ରଷ୍ଟା ସାଧୁଙ୍କୁ ପଚାରିଲେ- ମୋ ସମୟ କେମିତି ଚାଲିଛି?
ସାଧୁ କହିଲେ- ଆପଣଙ୍କ ଲାଗି ଏହା ସବୁଠାରୁ ଭଲ ସମୟ।
ରାଜା ବେଶ୍‌ ପ୍ରସନ୍ନ ଦିଶିଲେ। ପର ଦିନ ସକାଳେ ସେ ଏକୁଟିଆ ମନ ଖୁସିରେ ଘୋଡ଼ା ପିଠିରେ ବସି ବୁଲି ବାହାରିଗଲେ। ଏଣେ ତାଙ୍କ ବିପକ୍ଷରେ ଏକ ବଡ଼ ଷଡ୍‌ଯନ୍ତ୍ର ଚାଲିଥିଲା। ଷଡ୍‌ଯନ୍ତ୍ରକାରୀମାନେ ରାଜ ଉଆସରେ ଅଗ୍ନି ସ˚ଯୋଗ କରି ତାଙ୍କୁ ସପରିବାର ମାରିଦେବାର ଚକ୍ରାନ୍ତ କରୁଥିଲେ। କିନ୍ତୁ ରାଜା ଏକୁଟିଆ ଘୋଡ଼ା ପିଠିରେ ବୁଲି ବାହାରିଯିବା ଷଡ୍‌ଯନ୍ତ୍ରକାରୀ ଅମାତ୍ୟମାନଙ୍କୁ ଶୀଘ୍ର ସୁଯୋଗଟିଏ ଆଣିଦେଲା। ସେମାନେ ରାଜାଙ୍କୁ ଏକୁଟିଆ ଦେଖି ଆକ୍ରମଣ କଲେ। ରାଜା ପ୍ରାଣ ବଞ୍ଚେଇ ଜଙ୍ଗଲକୁ ପଳାଇଗଲେ।
ଜଙ୍ଗଲରେ ବାଟବଣା ହୋଇ ବୁଲୁବୁଲୁ ରାଜା ଅଗତ୍ୟା ସେଇ ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ। ସେ ରାଜାଙ୍କୁ ଆତିଥ୍ୟ ପ୍ରଦାନ କରିବା ସହିତ ଦୁଇ ଜଣ ଶିଷ୍ୟଙ୍କୁୁ ପଠାଇ ତୁରନ୍ତ ରାଣୀ ମା’ ଓ ଶିଶୁ ପୁତ୍ରଙ୍କୁ ତାଙ୍କ ଆଶ୍ରମକୁ ଗୋପନରେ ଡକାଇ ଆଣିଲେ।
ଏଣେ ଷଡ୍‌ଯନ୍ତ୍ରକାରୀମାନେ ପୂର୍ବ ଚକ୍ରାନ୍ତ ମୁତାବକ ରାଜ ଉଆସ ଉପରେ ଆକ୍ରମଣ କରି ତହିଁରେ ନିଆଁ ଲଗାଇଦେଲେ।
ଏ ସବୁ ଦେଖି ରାଜା ଅତି ବିଷଣ୍ଣ ଭାବେ ସାଧୁଙ୍କୁ କହିଲେ- ମୋର ରାଜପଦ ଗଲା। ସବୁକିଛି ଗଲା। ଆପଣ କେମିତି କହୁଥିଲେ ଯେ ମୋର ଭଲ ସମୟ ଚାଲିଛି?
ସାଧୁ କହିଲେ- ତୁମେ ତୁମର ବର୍ତ୍ତମାନର ଅବସ୍ଥାକୁ ଦେଖି ଭାବୁଛ କି ଖରାପ ବେଳା ଚାଲିଛି? ପ୍ରକୃତରେ ଏବେ ଭଲ ସମୟ ହିଁ ଚାଲିଛି। ତାହା ହୋଇ ନ ଥିଲେ ତୁମେ ଆଜି ତୁମ ପରିବାର ସହିତ ଜୀବନ୍ତ ଦଗ୍‌ଧ ହୋଇ ସାରନ୍ତଣି। ତୁମେ ଏବେ ଚାହିଁଲେ ପୁନର୍ବାର ରାଜ୍ୟ ହାସଲ କରିପାରିବ। ଜୀବନରେ ଯେତେ ବିପର୍ଯ୍ୟୟ ଘଟିଲେ ସୁଦ୍ଧା ତହିଁରୁ ଯେ ଆହୁରି ଅଧିକ ବିପର୍ଯ୍ୟୟ ଘଟିବାର ସମ୍ଭାବନା ଥାଏ, ଏ କଥା ଯେମିତି ମ‌େନ ରହେ।