ଜଣେ ଅତି ଲୋଭୀ ସୁଲତାନ ଥିଲେ। ସେ ଭାବୁଥିଲେ ପୃଥିବୀରେ ସମସ୍ତେ ଲୋଭୀ।
ଥରେ ସେ ରାଜ୍ୟକୁ ଆସିଲେ ଜଣେ ଫକିର। ସେ ଭିକ୍ଷା କରି ଚଳୁଥିଲେ। ଯଦି ମିଳୁଥିଲା ଖାଉଥିଲେ, ନ ମିଳିଲା ତ ପାଣି ପିଇ ଶୋଉଥିଲେ।
ସୁଲତାନଙ୍କ ମନ୍ତ୍ରୀ ପଚାରିଲେ- ଜାହାଁପନା, ଏ ଫକିର ବି କ’ଣ ଲୋଭୀ? ସୁଲତାନ କହିଲେ- ୟେ ବି ଲୋଭୀ। ୟେ ଖାଲି ବାହାନା କରୁଛି। ତାକୁ ଡାକ ମୁଁ ତାକୁ ପରୀକ୍ଷା କରେ।
ଫକିର ଆସିଲେ। ରାଜା ତାଙ୍କୁ କହିଲେ- ଶୁଣ ଫକିର, ଆମ ରାଜ୍ୟର ନିୟମ ହେଉଛି କେହି ଭିକ୍ଷା ବୃତ୍ତି କରି ଚଳି ପାରିବେ ନାହିଁ। ତୁମେ କାମ କରି ଖାଅ। ତୁମକୁ ପାରଶ୍ରମିକ ମିଳିବ।
ଫକିର କହିଲେ- ସୁଲତାନ, କାମ ଦିଅନ୍ତୁ, କରିବି। ସୁଲତାନ ସାଙ୍ଗେ ସାଙ୍ଗେ ତାଙ୍କ ପାଖ ଲୋକକୁ କହିଲେ- ଫକିର ବାବାଙ୍କୁ ମାଠିଆଟିଏ ଦିଅ। ସେ ପାଣି ବୋହି ଆଣି ଏ ଗଛରେ ଦିଅନ୍ତୁ। ଫକିରଙ୍କୁ ମାଠିଆଟିଏ ଦିଆଗଲା। ସେ ମାଠିଆକୁ ଟିକିଏ ପରୀକ୍ଷା କରି ସୁଲତାନଙ୍କୁ କହିଲେ- ମୋତେ ପ୍ରଥମେ ଗୋଟିଏ ଅସରପି ଦିଅନ୍ତୁ।
ସୁଲତାନ ଏହା ଶୁଣି ଠୋ ଠୋ ହୋଇ ହସିଲେ। ଫକିର ପାଣି ଆଣିବାକୁ ବାହାରି ଗଲା ପରେ ସେ ମନ୍ତ୍ରୀଙ୍କୁ ଆଖି ଠାରି କହିଲେ- ମୁଁ କ’ଣ କହୁଥିଲି? ଦୁନିଆରେ ନିର୍ଲୋଭ କେହି ନାହାନ୍ତି! ଫକିର ହୋଇ ଗଛରେ ପାଣି ଟିକିଏ ଦେବ ବୋଲି ମାଗୁଛି ସୁନା ଅସରପି।
ଫକିର ପାଣି ବୋହି ଗଛରେ ଦେବାକୁ ଲାଗିଲେ। କାମ ସରିଯିବା ପରେ ଫକିର ସୁଲତାନଙ୍କୁ କହିଲେ- କାମର ପାରିଶ୍ରମିକ ବାବଦରେ ମୋତେ ଗୋଟିଏ ମୁଠା ଅଟା ଦିଅନ୍ତୁ।
ସୁଲତାନ କହିଲେ- ହଇହୋ ବାବା, ତୁମେ ପରା ଅସରପିଟିଏ ଅଗ୍ରିମ ନେଇଛ? ସେଇଟା କ’ଣ ପାରିଶ୍ରମିକ ନୁହେଁ?
ଫକିର ସୁଲତାନଙ୍କୁ ମାଠିଆଟି ବଢ଼େଇ ଦେଇ କହିଲେ- ଜାହାଁପନା, ଆପଣଙ୍କ ମାଠିଆରେ କଣାଟିଏ ଥିଲା। ସେଇ ଛିଦ୍ର ବନ୍ଦ କରିବାକୁ ମୁଁ ଅସରପିଟିକୁ କାମରେ ଲଗାଇଲି। ସୁଲତାନଙ୍କ କାମ କରୁଛି, କଣ ବାଲି ଗରଡ଼ାରେ କଣା ବୁଜିଥାନ୍ତି? କେବଳ ଆପଣଙ୍କ ମୁହଁକୁ ଚାହିଁ ଅସରପି ମାଗିଲି। ମୋ ପାଇଁ ସେ ବାଲିଗରଡ଼ା ଓ ଅସରପି ଭିତରେ କିଛି ଫରକ ନାହିଁ। ମୋତେ ଦେବେ ଯଦି ମୁଠାଏ ଅଟା ଦିଅନ୍ତୁ।