ଜଣେ ଅତି କଞ୍ଜୁସ୍‌ ଇହୁଦୀ ତା’ ରୁଗ୍‌ଣ ପତ୍ନୀଠାରୁ ନିସ୍ତାର ପାଇବା ଲାଗି ଉପାୟ ସକାଶେ ତାଙ୍କ ଗାଁର ଜଣେ ବୁଦ୍ଧିଆ ଲୋକଙ୍କୁ ଭେଟିଲା। ସେ ବ୍ୟକ୍ତିି କହିଲେ- ଆମ ଧର୍ମ ବିଶ୍ବାସରେ ଈଶ୍ବରଙ୍କ ଠାରେ ମାନସିକ କରି ତାହା ପୂରଣ ନ କଲେ ତିନି ମାସ ପରେ ତାଙ୍କ କୋପ ପଡ଼ିଥାଏ। ସେହି ଅନୁସାରେ ତୁମେ ନିଜ ପତ୍ନୀଙ୍କ ଭଲ ସ୍ବାସ୍ଥ୍ୟ କାମନା କରି ଦଶ ଲକ୍ଷ ଟଙ୍କାର ମାନସିକ କରିଦିଅ। ତୁମେ ଯେହେତୁ କଞ୍ଜୁସ୍‌ ଓ ଟଙ୍କାଟିଏ ବି ଦେବ ନାହିଁ; ଈଶ୍ବର ରାଗି ଯାଇ ତୁମ ପତ୍ନୀକୁ ମାରି ଦେବେ।
କଞ୍ଜୁସ୍‌ର ମନକୁ କଥାଟି ପାଇଲା। ସେ ତାହ କଲା। ତିନି ମାସ ବିତିଗଲା। କିନ୍ତୁ ତା’ ଇଚ୍ଛା ଫଳବତୀ ହେଲା ନାହିଁ। ସେ ପୁଣି ସେହି ବୁଦ୍ଧିଆ ଲୋକଙ୍କୁ ଭେଟିଲା। ବୁଦ୍ଧିଆ ଲୋକ କହିଲା- ଈଶ୍ବର ଦେଖିଲେ ଯେ ତୁମ ପତ୍ନୀକୁ ମାରିଦେଲେ ତାହା ତୁମ ଲାଗି ବରଦାନ ଭଳି ହେବ। ତେଣୁ ସେ ତାକୁ ବଞ୍ଚାଇ ରଖିଛନ୍ତି। ତୁମେ ଏବେ ଆଉ ଗୋଟିଏ କାମ କର। ପତ୍ନୀକୁ ସ୍ନେହ କରିବା ଆରମ୍ଭ କର। ‌ତୁମ ପତ୍ନୀ ବି ତୁମକୁ ଭଲ ପାଇବାକୁ ଲାଗିବ। ଦେଖିବ ଏମିତି ହେବା ପରେ ତୁମକୁ ଶାସ୍ତି ଦେବା ଲାଗି ଈଶ୍ବର ତୁମ ପତ୍ନୀକୁ ମାରି ଦେବେ।
କଞ୍ଜୁସ୍‌ ଅଗତ୍ୟା ତାହା କରିବାକୁ ସ୍ଥିର କଲା। ବଡ଼ ମନ କଷ୍ଟରେ ହେଉ ପଛକେ ପତ୍ନୀ ଲାଗି ଉପହାରମାନ କିଣିଲା। ତାକୁ ସ୍ନେହ କରିବାର ଛଳନା କଲା। କିନ୍ତୁ ସତକୁ ସତ ଦୁହିଁଙ୍କ ଭିତରେ ସ୍ନେହ ଭାବ ବଢ଼ି ଚାଲିଲା। ସ୍ଥିତି ଏମିତି ହେଲା ଯେ କଞ୍ଜୁସ୍‌ ଦେଖିଲା ଏବେ ପତ୍ନୀ ମରିଗଲେ ସେ ବି ବଞ୍ଚିପାରିବ ନାହିଁ। ତେଣୁ ସେ ପୁଣି ବୁଦ୍ଧିଆ ଲୋକଙ୍କ ନିକଟକୁ ଦୌଡ଼ିଲା।
ବୁଦ୍ଧିଆ ଲୋକ ସବୁ କଥା ଶୁଣି କହିଲେ- ଆଉ ବାଟ ନାହିଁ। ତୁମକୁ ଦଶ ଲକ୍ଷ ଟଙ୍କା ଦେଇ ମାନସିକ ପୂରଣ କରିବାକୁ ହେବ। ତାହା ନ ହେଲେ ଈଶ୍ବର ରାଗି ତୁମକୁ ଦଣ୍ଡ ଦେଇ ପାରନ୍ତି।
ଏହା ଶୁଣି କଞ୍ଜୁସ୍‌ ଘରକୁ ଦୌଡ଼ିଲା। ଦଶ ଲକ୍ଷ ଟଙ୍କା ଦେଇ ପତ୍ନୀର ଭଲ ସ୍ବାସ୍ଥ୍ୟ କାମନା କରିଥିବା ମାନସିକ ପୂରଣ କଲା। ଲୋକେ କଞ୍ଜୁସ୍‌ର ପରିବର୍ତ୍ତନ ଦେଖି‌ ବିଶ୍ବାସ କରି ପାରୁ ନ ଥିଲେ। ସ୍ନେହ ସତରେ କ’ଣ ନ କରେ?