ଜଣେ ଲୋକ ପ୍ରତ୍ୟହ ଈଶ୍ବରଙ୍କୁ ପ୍ରାର୍ଥନା କଲାବେଳେ କହୁଥିଲେ- ପ୍ରଭୁ, ମୋତେ କେବଳ ତୁମର ଆଶୀର୍ବାଦ ଲୋଡ଼ା ପ୍ରଭୁ। ସେତିକି ଦିଅ। ସେ ଭାବୁଥିଲେ ଏହା ହେଉଛି ତାଙ୍କ କାମନାଶୂନ୍ୟତାର ନିଦର୍ଶନ।
ଦିନ ପରେ ଦିନ ବିତିଗଲା। ହଠାତ୍ ତାଙ୍କ ପରିସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗିଲା। ତଥାପି ସେ ଲୋକଙ୍କ ମନରେ ଗଭୀର ଆଶାଥାଏ ଯେ ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ବର୍ଷିବ। କିନ୍ତୁ ଦିନେ ତାଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ସେଦିନ ସେ ଭଗବାନଙ୍କୁ କ୍ଷୋଭର ସହିତ କହିଲେ- ପ୍ରଭୁ, ତୁମ ଆଶୀର୍ବାଦ ଛଡ଼ା ମୁଁ ଆଉ କିଛି ଚାହିଁ ନାହିଁ। କିନ୍ତୁ ତୁମେ ମୋତେ ସେତକ ବି ଦେଲ ନାହିଁ।
ଏମିତି ପ୍ରାର୍ଥନା କରି ସେ ଶୋଇପଡ଼ିଲେ। ରାତିରେ ତାଙ୍କୁ ସ୍ବପ୍ନରେ ଦେଖାଦେଲେ ଜଣେ ବୃଦ୍ଧ। ସେ କହିଲେ- ମୁଁ ଭଗବାନ। ତୁ ତ ଯାହା ମାଗିଛୁ ମୁଁ ତାହା ଦେଉଛି। ଏବେ ପୁଣି ଦୁଃଖ କ’ଣ?
ସେ ଲୋକ କହିଲେ- ପ୍ରଭୁ, ଆପଣ ଯଦି ଭଗବାନ, ତେବେ ଅନ୍ତରର କଥା ବୁଝିପାରୁ ନାହାନ୍ତି? ମୋ ଦୁଃଖ କ’ଣ ବୋଲି ପଚାରୁଛନ୍ତି?
ବୃଦ୍ଧ ରୂପୀ ଭଗବାନ କହିଲେ- ଅନ୍ତରର କଥା ଜାଣିଛି ବୋଲି ତ ସନ୍ଦେହରେ ଅଛି। ତୁ ମୋତେ ପ୍ରତିଦିନ ନିରୋଳା ଆଶୀର୍ବାଦ ମାଗୁ। ମୁଁ ତାହା ହିଁ ଦିଏ। ତାହା ଦେଉଛି ବୋଲି ତୋର ସ୍ଥିତି ଯେତେ ଖରାପ ହୋଇଚାଲିଥିଲେ ବି ସବୁଠୁୁ ଖରାପ ହୋଇନାହିଁ। କିନ୍ତୁ ତୋ’ ଅନ୍ତର ଭିତରେ ଆଉ ପ୍ରକାରେ ଇଚ୍ଛା ଥାଏ। ତୁ ଚାହୁଁ ତୋର ଧନସ˚ପତ୍ତି ବଢୁ। ସତ କହ ତୁ କ’ଣ ଚାହୁଁ?
ସେ ବ୍ୟକ୍ତି କହିଲେ- ପ୍ରଭୁ ମୋତେ କ୍ଷମାକର। ମୁଁ କେତେ କପଟୀ ତାହା ମୁଁ ଏବେ ବୁଝୁଛି। ତୁମେ ଅନ୍ତର୍ଯ୍ୟାମୀ, ଅଥଚ ମୁଁ ତୁମ ପାଖରେ କପଟ କରୁଥିଲି!
ତାଙ୍କ ନିଦ ଭାଙ୍ଗିଗଲା। ଏଣିକି ସେ ଆଉ ଭଗବାନଙ୍କୁ କେବଳ ଆଶୀର୍ବାଦ ମାଗିଲେ ନାହିଁ। ଧନସଂପତ୍ତି ଓ ଯଶ ଆଦି ଯାହା କାମନା କରୁଥିଲେ ସବୁ ମାଗିଲେ।
ତାଙ୍କ ପତ୍ନୀ ଏହା ଶୁଣି କହିଲେ- ତୁମେ ବଦଳିଗଲ। ଆଗରୁ ତୁମେ କିଛି ଚାହୁଁ ନଥିଲ, ମାଗୁନଥିଲ। ଏବେ ସବୁ ଲୋଡ଼ା ପଡ଼ିଲାଣି।
ଭଦ୍ରବ୍ୟକ୍ତି କହିଲେ- ହଁ ବଦଳିଗଲି। ଏବେ ଅନ୍ତତଃ ମାଗିଲା ବେଳେ କପଟ କରୁନାହିଁ। ଯାହା ଚାହୁଁଛି, ତାହା ମାଗୁଛି।
କଥାଟିଏ-ଯାଯାବର: ଏଣିକି କପଟୀ ନୁହେଁ
ଜଣେ ଲୋକ ପ୍ରତ୍ୟହ ଈଶ୍ବରଙ୍କୁ ପ୍ରାର୍ଥନା କଲାବେଳେ କହୁଥିଲେ- ପ୍ରଭୁ, ମୋତେ କେବଳ ତୁମର ଆଶୀର୍ବାଦ ଲୋଡ଼ା ପ୍ରଭୁ। ସେତିକି ଦିଅ। ସେ ଭାବୁଥିଲେ ଏହା ହେଉଛି ତାଙ୍କ କାମନାଶୂନ୍ୟତାର ନିଦର୍ଶନ।