ଥରେ ରାଜା ଓ ରାଣୀ ଦୁଇ ରାଜପୁତ୍ରଙ୍କୁ ସାଙ୍ଗରେ ଧରି ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ଗୁରୁଙ୍କ ହାତରେ ନିଜ ଦୁଇ ପୁତ୍ରଙ୍କୁ ସମର୍ପି ଦେଇ ରାଜା କହିଲେ- ଗୁରୁଦେବ, ମୋର ଏ ଦୁଇ ପୁଅ ଅତ୍ୟଧିକ ପ୍ରାଚୁର୍ଯ୍ୟ ଓ ସ୍ନେହ ହେତୁ ବିଗିଡ଼ି ଯାଇଛନ୍ତି। ଏମାନଙ୍କୁ ବାଟକୁ ଆଣିବା ସାଧୢାତୀତ ହେବାରୁ ମୁଁ ଆପଣଙ୍କ ପାଖକୁ ଆଣିଲି। ଆପଣ ସେମାନଙ୍କ ଦାୟିତ୍ବ ନିଅନ୍ତୁ। ଗୁରୁ ରାଜାଙ୍କୁ ଆଶ୍ବାସନା ଦେଲେ ଯେ ସେ ତାହା ସଂପାଦନ କରିବେ।
କିନ୍ତୁ ରାଣୀ ଆଶ୍ରମର ପରିବେଶ ନେଇ ଚିନ୍ତିତ ହେଲେ। କାରଣ ଆଶ୍ରମରେ ବିଭିନ୍ନ ବର୍ଗ ଓ ଜାତିର ପିଲାଏ ଏକାଠି ରହୁଥିଲେ।
ରାଣୀ ଗୁରୁଙ୍କୁ କହିଲେ- ଏହା ଭଲ ଗୁରୁକୁଳର ଲକ୍ଷଣ ନୁହେଁ। ଆପଣ କେବଳ ଉଚ୍ଚ ବର୍ଣ୍ଣର ପିଲାମାନଙ୍କୁ ନିଜ ଆଶ୍ରମରେ ଶିକ୍ଷା ଦେବା ଦରକାର। କାରଣ, ନୀଚ ବର୍ଣ୍ଣର ଲୋକେ ଯେଉଁ କାମ କରନ୍ତି, ସେଥିରେ ସେମାନେ ନିଜେ ଅପରିଚ୍ଛନ୍ନ ରହନ୍ତି। ସେମାନଙ୍କ ଦ୍ବାରା ଅନ୍ୟମାନେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। 
ଗୁରୁ କହିଲେ- ଆପଣଙ୍କ ଦୁଇ ପୁଅ ଅବାଟରେ ଯାଉଛନ୍ତିି ବୋଲି ସେମାନଙ୍କୁ ସୁଧାରିବାର ଦାୟିତ୍ବ ମୋତେ ଦେଇଛନ୍ତି। ମୁଁ ସେମାନଙ୍କ ମନରୁ ଏବ˚ ଆଚରଣରୁ ମଇଳା ବାହାର କଲେ ଯାଇ ସେମାନେ ପରିଷ୍କାର ହେବେ। କିନ୍ତୁ ତାହା କରି ସେମାନଙ୍କ ମନର ମଇଳା ଦ୍ବାରା ମୋ ମନ ଅପରିଚ୍ଛନ୍ନ ହୋଇଯିବ କି? ଆପଣଙ୍କ ମନରେ ଯଦି ଏଭଳି ଭାବ ରହୁଛି, ତେବେ କ୍ଷମା କରନ୍ତୁ ମୁଁ ଆପଣଙ୍କ ପିଲାମାନଙ୍କ ଦାୟିତ୍ବ ନେବି ନାହିଁ।
ଗୁରୁଙ୍କ ବାଣୀ ଦ୍ବାରା ରାଣୀ ଲଜ୍ଜିତ ହେଲେ। ସନ୍ତାନମାନଙ୍କୁ ଉପଯୁକ୍ତ ଗୁରୁଙ୍କ ହାତରେ ସମର୍ପିଛନ୍ତି ବୋଲି ଜାଣି ଆଶ୍ବସ୍ତ ମଧ୍ୟ ହେଲେ।