ରାଜାଙ୍କ ମନ୍ତ୍ର ଶିକ୍ଷା

କଥାଟିଏ-ଯାଯାବର

ରାଜାଙ୍କ ବଗିଚାରେ ଏକ ଦିବ୍ୟ ସ୍ବାଦଯୁକ୍ତ ଆମ୍ବ ଗଛ ଥିଲା। ରାଜା ତାଙ୍କ ପ୍ରକୋଷ୍ଠରୁ ତା’ ଉପରେ ନଜର ରଖିଥାଆନ୍ତି। କାଳେ କିଏ ଆମ୍ବ ତୋଳି ନେବ, ସେଇ ଭୟ ଥାଏ।
ଦିନେ ସକାଳେ ରାଜା ଦେଖିଲେ ଯେ ଉଦ୍ୟାନରେ ଝାଡୁ ମାରୁଥିବା ଯୁବକଟି ଆମ୍ବ ଗଛ ତଳେ ଛିଡ଼ା ହେଲା‌। କିଛି କ୍ଷଣ ପରେ ଆମ୍ବ ଗଛର ଡାଳଟିଏ ଆପେ ନଇଁ ଆସିଲା। ସେ ଗୋଟିଏ ଆମ୍ବ ତୋଳି ନେଇ ଚାଲିଗଲା।
ରାଜା ଏଥିରେ ସେହି ଯୁବକ ଉପରେ ରାଗ କରିବେ କ’ଣ ତା’ର କାରବାର ଦେଖି ଚକିତ ହୋଇ ପାଟି କରି କହିଲେ- ଯୁବକକୁ ଧରି ଆଣ।
ଯୁବକ ଧରା ହୋଇ ଆସିଲା। ସେ ବରଡ଼ା ପତ୍ର ଭଳି ଥରୁଥାଏ। ରାଜା କିନ୍ତୁ ତାକୁ ଦେଖି କହିଲେ- ଆରେ ବାବୁ, କି ବିଚିତ୍ର କଥା, ଗଛର ଡାଳ ଆପେ ତଳକୁ ନଇଁ ଆସିଲା କେମିତି? ମୋତେ ତା’ର ଗୁମର ଖୋଲି କହ। ଯୁବକଟି ଆଶ୍ବସ୍ତ ହୋଇ କହିଲା- ମଣିମା, ମୁଁ ଗୋଟିଏ ମନ୍ତ୍ର ଜାଣିଛି। ଆପଣ ବି ଚାହିଁଲେ ତାହା ଶିଖି ପାରିବେ।
ରାଜା ମନ୍ତ୍ର ଶିଖିବାକୁ ଉଚ୍ଛନ୍ନ ହୋଇ ପଡ଼ିଲେ। ଯୁବକ ତାଙ୍କୁ ମନ୍ତ୍ର ଓ ତାହାକୁ ପାଠ କରିବାର ବାଗ ଶିଖାଇ ଦେଲା। ପର ଦିନ ସକାଳୁ ରାଜା ଗାଧୋଇପାଧୋଇ ପବିତ୍ର ହୋଇ ଗଛ ମୂଳରେ ପହଞ୍ଚି ମନ୍ତ୍ର ପଢ଼ିଲେ। କିନ୍ତୁ ଗଛ ଚଙ୍କିଲା ନାହିଁ। ରାଜା ଅନେକ ଥର ପଢ଼ିଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ଏବେ ରାଜା ଅଗ୍ନିଶର୍ମା ହୋଇ ଚିତ୍କାର କଲେ- ସେ ବେଇମାନକୁ ଆଣ। ତାକୁ ଚାବୁକରେ ପିଟିବି।
ଏହା ଶୁଣି ସେଠାରେ ଥିବା ରାଣୀ ମା’ ତାଜୁବ ହୋଇ କହିଲେ- ତୁନି ହୁଅ। ଏବେ ଜାଣିଲି ତୁମ ମନ୍ତ୍ର କାହିଁକି କାମ କରୁ ନାହିଁ। ସେ ଯୁବକ ତୁମକୁ ମନ୍ତ୍ର ଶିକ୍ଷା ଦେଇଛି, ଅର୍ଥାତ୍‌ ସେ ତୁମର ଗୁରୁ। ତୁମେ ତାକୁ ଗୁରୁ ବୋଲି ମାନ୍ୟତା ଦେଇଛ ତ? ନା ତାକୁ ଝାଡୁଦାର ବୋଲି ମନରେ ଭାବି ରଖିଛ।
ରାଜା ଜିଭ କାମୁଡ଼ିଲେ। ଆରେ ସତେ ତ? ଏବେ ସେ ଯୁବକର ଘରକୁ ଗଲେ ଏବଂ ତାକୁ ଯଥାମାନ୍ୟ କରି ଗୁରୁସୁଲଭ ଭକ୍ତି ପ୍ରଦାନ ପୂର୍ବକ କ୍ଷମା ମାଗିଲେ। ଯୁବକ ତାଙ୍କୁ ପୁନର୍ବାର ମନ୍ତ୍ରର ଶିକ୍ଷା ଦେଲା। ଏବେ ରାଜା ମନ୍ତ୍ର ପଢ଼ିଲେ ଓ ଗଛର ଡାଳ ନଇଁ ଆସିଲା।

ସମ୍ବନ୍ଧିତ ଖବର