ଗୋଟିଏ ଗ୍ରାମକୁ ଆସିଲେ ଜଣେ ତରୁଣ ସାଧୁ। ସେ ଥିଲେ ଅତ୍ୟନ୍ତ ସୁଦର୍ଶନ। ସେ ପ୍ରାୟତଃ ନିରବ ରହୁଥିଲେ ଏବଂ ବୈରାଗ୍ୟ ଓ ନିରାସକ୍ତ ଜୀବନ ଥିଲା ତାଙ୍କର ଧ୍ୟେୟ। 
ଗ୍ରାମର ଜଣେ ଯୁବତୀ ମନେ ମନେ ତାଙ୍କୁ ଭଲ ପାଇ ବସିଲା। ତାଙ୍କୁ ବିବାହ କରିବାକୁ ମନସ୍ଥ କରି ତାଙ୍କୁ ନିଜ ମନ କଥା ଜଣାଇଲା। ସାଧୁଙ୍କ ଚେହେରାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ସେ କେବଳ ଏତିକି କହିଲେ, ‘ସତେ ନା କ’ଣ?’
ଏଭଳି ପ୍ରତିକ୍ରିୟାରେ ଯୁବତୀ ରୁଷ୍ଟ ହେଲା। ଘରକୁ ଫେରିବା ପରେ ତା’ ମୁଣ୍ଡରେ କୁଭାବନା ପଶିଲା। ଦିନେ ସେ ଯାଇ ଘରେ ତା’ ବାପାଙ୍କୁ କହିଲା ଯେ ସାଧୁ ହେଉଛନ୍ତି ଜଣେ ଦୁଶ୍ଚରିତ୍ରଧାରୀ ଲୋକ ଏବଂ ସେ ତା ସହିତ ଅସଦ ବ୍ୟବହାର କରିଛନ୍ତି। ଏ କଥାରେ ଉତ୍‌କ୍ଷିପ୍ତ ପିତା ଦଳେ ଲୋକଙ୍କୁ ନେଇ ସାଧୁଙ୍କୁ ଏ ବିଷୟରେ ପଚାରିଲେ। ଅବିଚଳିତ ସାଧୁଙ୍କ ପ୍ରତିକ୍ରିୟା ଥିଲା, ‘ସତେ ନା କ’ଣ?’ କହିବା ବାହୁଲ୍ୟ ଏହା ପରେ ତାଙ୍କ ପାଖକୁ ଯାଇଥିବା ଲୋକେ ତାଙ୍କ ଉପରେ ଉତ୍ତମ ମଧ୍ୟମ ଚଢ଼ାଇ ତାଙ୍କୁ ସେଠାରୁ ତଡ଼ି ଦେଲେ। ସାଧୁ ଦୂରରେ ଏକ କୁଡ଼ିଆ କରି ରହି‌େଲ। 
କିଛି ଦିନ ପରେ ଯୁବତୀର ମନରେ ଭାବାନ୍ତର ସୃଷ୍ଟି ହେଲା। ମିଛ ଅଭିଯୋଗ କରିଥିବାରୁ ଅନୁତପ୍ତ ହୋଇ ସାଧୁଙ୍କ ନିକଟରେ ପହଞ୍ଚିଲା ଏବଂ ସବୁ କଥା କହି କ୍ଷମା ମାଗିଲା। ଅବଚଳିତ ସାଧୁ ସବୁ ଶୁଣିଲେ ଏବଂ କହିଲେ, ‘ସତେ ନା କ’ଣ?’
ଏହି କଥାଟି କହି ୟୁଜି କୃଷ୍ଣମୂ୍ର୍ତ୍ତି ତାଙ୍କ ଅନୁଗାମୀମାନଙ୍କୁ କହିଲେ- କୌଣସି ଭଲ ବା ମନ୍ଦ ତୁମକୁ ସ୍ପର୍ଶ ନ କରିବା ଏବଂ ଯାହା ଘଟୁଛି ତାହା କାଳ ବକ୍ଷରେ ଘଟିବା ଅନିବାର୍ଯ୍ୟ ଥିଲା, ତେଣୁ ଘଟୁଛି ବୋଲି ଭାବିବା ହେଉଛି ପ୍ରକୃତ ବୈରାଗ୍ୟ।