ମୁଲ୍ଲା ନସିରୁଦ୍ଦିନଙ୍କ ଗଧଟାଏ ଥିଲା। ସେ ତାକୁ ବହୁତ ଗେହ୍ଲା କରୁଥିଲେ। ଥରେ ମୁଲ୍ଲାଙ୍କ ଗାଁକୁ ଆସିଲେ ଜଣେ ଫକିର। ତାଙ୍କଠାରୁ ଶିକ୍ଷାଲାଭ କରିବା ଲାଗି ଗାଁ ଲୋକେ ଗଲେ। ତା’ ଭିତରେ ଥିଲେ ମୁଲ୍ଲାଙ୍କ ପତ୍ନୀ। ଫକିର କହିଲେ- ତୁମେମାନେ ଯାହାକୁ ଭଲ ପାଉଛ, ତାକୁ ବନ୍ଧନରେ ବାନ୍ଧ ନାହିଁ। ତାକୁ ମୁକ୍ତ କରିଦିଅ। ତା’ ଠାରେ କୌଣସି ପ୍ରତ୍ୟାଶା ରଖ ନାହିଁ। ତୁମ ଭଲ ପାଇବା ନିଃସର୍ତ୍ତ ହେଉ। ଦେଖ, ଯଦି ସ୍ନେହ ଖାଣ୍ଟି, ତେବେ କେବଳ ସେଇ ସ୍ନେହର ବନ୍ଧନ ତା’କୁ ତୁମ ପାଖକୁ ଭିଡ଼ି ଆଣିବ। ତୁମେ ଯାହାକୁ ଭଲପାଅ, ତା’କୁ ମୁକ୍ତ କରିଦେଲେ ହିଁ ତୁମେ ବୁଝିପାରିବ ଯେ ସ୍ନେହର ଡୋର କେତେ ଦୃଢ଼!
କଥାଟା ମୁଲ୍ଲାଙ୍କ ସ୍ତ୍ରୀଙ୍କ ମନକୁ ପାଇଗଲା। ସେ କହିଲେ- ମୁଲ୍ଲା, ତୁମେ ଯଦି ଗଧକୁ ଭଲପାଅ, ତାହା ହେଲେ ତା’କୁ ଛାଡ଼ିଦିଅ। େସଥିରୁ ଜଣାପଡ଼ିବ ତୁମ ଦୁଇ ଜଣଙ୍କ ଭିତରେ ସ୍ନେହ କେତେ?
ମୁଲ୍ଲା ଏହା ଶୁଣି ମନେ ମନେ ବିରକ୍ତ ହେଲେ ଓ ତାଙ୍କ ପତ୍ନୀଙ୍କ ମୁଣ୍ଡ ବିଗାଡ଼ି ଥିବାରୁ ଫକିରଙ୍କ ପାଖକୁ ଯାଇ ତାଙ୍କୁ ଗାଳିମନ୍ଦ କରି ଆସିଲେ। କିନ୍ତୁ ଘରେ ପହଞ୍ଚିଲା ପରେ ମୁଲ୍ଲାଙ୍କ ପତ୍ନୀଙ୍କ ସେଇ ଜିଦ୍। ତେଣୁ ଗଧକୁ ବନ୍ଧନମୁକ୍ତ କରିଦିଆଗଲା। ଗଧ ଖୋଲା ହେବା କ୍ଷଣି ଦୌଡ଼ି ଚାଲିଗଲା।
ଦିନଯାକ ବୁଲିବା ପରେ ଗଧଟି ହାଲିଆ ହୋଇଗଲା। ରାତିରେ ପ୍ରବଳ ଶୀତ ହେବାରୁ ଥଣ୍ଡା ସହି ନ ପାରି ଗଧଟି ମୁଲ୍ଲାଙ୍କ ଘରକୁ ଫେରିଲା ଓ ନିଶାର୍ଧେର ଘର ଆଗରେ ଛିଡ଼ା ହୋଇ ବୋବାଳି ଛାଡ଼ିଲା। ମୁଲ୍ଲାଙ୍କ ପତ୍ନୀ ଏହା ଦେଖି ମହାଖୁସୀ।
ପରଦିନ ସେ ଫକିରଙ୍କୁ ଯାଇ କହିଲେ- ଆଜ୍ଞା, ମୁଲ୍ଲାଙ୍କ ଗଧକୁ ଛାଡ଼ି ଦିଆଗଲା ପରେ ବି ସେ ଫେରି ଆସିଲା। ଏଥିରୁ କ’ଣ ବୁଝିବା? ସେମାନଙ୍କ ଭିତରେ ଥିବା ସ୍ନେହ ଶତପ୍ରତିଶତ ଖାଣ୍ଟି?
ଫକିର କହିଲେ- ଫେରି ଆସିଲାଟି? ଏଥିରୁ ବୁଝିବା ଯେ ତାହା ଗୋଟିଏ ଖାଣ୍ଟି ଗଧ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp