ସନ୍ଥ ଫିରୋଜ ଓ ତାଙ୍କର ଜଣେ ଚେଲା କୌଣସି ଏକ ସ୍ଥାନକୁ ଯାଉଥିଲେ। ଅନେକ ବାଟ ଚାଲିବା ପରେ ସେମାନେ କ୍ଳାନ୍ତ ଓ କ୍ଷୁଧା ଜର୍ଜର ହୋଇପଡ଼ିଲେ। ଯୋଗକୁ ସେମାନେ ଗୋଟିଏ କୁଡ଼ିଆ ଦେଖିବାକୁ ପାଇଲେ। କୁଡ଼ିଆଟି ଦେଖି ଲାଗୁଥିଲା, ସେଠାରେ ବାସ କରୁଥିବା ଲୋକ ନିଜ ପରିବାର ଭରଣପୋଷଣ ଲାଗି ବି ସମର୍ଥ ନଥିବେ। ତେବେ, ଫିରୋଜଙ୍କ କଥାରେ ଶିଷ୍ୟ ଯେତେବେଳେ ସେହି ଘରକୁ ଯାଇ ଭୋଜନ ଓ ଆଶ୍ରୟ ମାଗିଲେ ଗୃହସ୍ବାମୀ କ୍ଷୁଧାର୍ତ୍ତ ଅତିଥିଙ୍କୁ ଯଥାସମ୍ଭବ ସତ୍କାର କଲେ ଏବ˚ ଅତିଥିଙ୍କୁ ଭୋଜନ ଦେଲେ। କିନ୍ତୁ ସେ ଦିନ ସେ ଓ ତାଙ୍କ ପତ୍ନୀ ଉପାସ ରହିଲେ। 
ଏହା ଦେଖି ଶିଷ୍ୟ ଫିରୋଜଙ୍କୁ ପଚାରିଲା- ଏମିତି କାହିଁକି ହୁଏ? ଭଲ ଲୋକେ କାହିଁକି ଜୀବନରେ କଷ୍ଟ ପାଆନ୍ତି?
ଫିରୋଜ କହିଲେ- ଭଲ ଲୋକେ କଷ୍ଟ ପାଆନ୍ତି ବୋଲି ତୁମେ ଭାବୁଛ କାହିଁକି? ଆଜି ରାତିରେ ତୁମେ ସେଇ ପରିବାରରେ ଚାଲିଥିବା କଥୋପକଥନ ଶୁଣିବାକୁ ଚେଷ୍ଟା କର। ତା’ ପରେ ବୁଝିପାରିବ। 
ଫିରୋଜ ଓ ଶିଷ୍ୟ ରାତି ଉଜାଗର ରହି ଗୃହସ୍ବାମୀ ଓ ତାଙ୍କ ପରିବାର ଭିତରେ ଚାଲିଥିବା ମୃଦୁ ବାର୍ତ୍ତାଳାପ ଶୁଣିଲେ। 
ଗୃହ ସ୍ବାମୀ ତାଙ୍କ ପତ୍ନୀଙ୍କୁ ପଚାରୁଥିଲେ- ଉପାସରେ ରହିଥିବାରୁ କଷ୍ଟ ହେଉଛି କି? ପତ୍ନୀ ଉତ୍ତର ଦେଉଥିଲେ- ଅନ୍ୟ କ୍ଷୁଧାର୍ତ୍ତକୁ ଭୋଜନ ଦେବାରେ ଯେଉଁ ତୃପ୍ତି ସେଥିରେ ନିଜର କ୍ଷୁଧା ରହେ କେଉଁଠି? ଏ ଆନନ୍ଦର ଆଉ ବିକଳ୍ପ ଅଛି କି? 
ତା’ ପରେ ଫିରୋଜ ନିଜ ଶିଷ୍ୟକୁ କହିଲେ- ଦେଖିଲ ତ? ଆମ ଭଳି କ୍ଷୁଧାର୍ତ୍ତଙ୍କୁ ଆଶ୍ରୟ ଓ ଭୋଜନ ଦେଇଥିବାରୁ ସେମାନେ କେତେ ତୃପ୍ତ! ସେମାନେ ଯେଉଁ ଆନନ୍ଦ ଲାଭ କରିଛନ୍ତି ସେ ଆନନ୍ଦ କଦବା କାହାକୁ ମିଳିଥାଏ।