ଜଣେ ରାଜା ଥିଲେ। ସ୍ବଭାବରେ ସେ ଥିଲେ ମହା ଉଦ୍ଧତ ଓ ଅହ˚କାରୀ। ତାଙ୍କ ଦ୍ବାରା ଅତ୍ୟାଚାରିତ ପ୍ରଜାମାନେ ତ୍ରାହି ତ୍ରାହି ଡାକୁଥିଲେ। ଥରେ ରାଜାଙ୍କ ମୁଣ୍ଡକୁ କଅଣ ଜୁଟିଲା କେଜାଣି ସେ ତାଙ୍କ ରାଜ୍ୟରୁ ଦରିଦ୍ରମାନଙ୍କୁ ବିତାଡ଼ିତ କରିଦେଲେ। ସେ କହିଲେ ଯେ ଦାରିଦ୍ର୍ୟ ହେଉଛି ଏକ ଅଭିଶାପ ଏବ˚ ଦରିଦ୍ରମାନେ ଅଭିଶପ୍ତ। ସେମାନଙ୍କ ଯୋଗୁଁ ରାଜ୍ୟର ସମ୍ମାନ ହାନି ହେଉଛି।
ସୁତରାଂ, ଭୀତତ୍ରସ୍ତ ଦରିଦ୍ରମାନେ ରାଜ୍ୟ ସୀମାରେ ଥିବା ଜଙ୍ଗଲ ଭିତରକୁ ପଳାୟନ କଲେ। ରାଜ୍ୟରେ ହାହାକାର ପଡ଼ିଗଲା। ଦରିଦ୍ରମାନେ ଅକଥନୀୟ ଯାତନା ଭୋଗିଲେ। ଜଙ୍ଗଲ ଭିତରେ କେତେ ଯେ ହଜିଲେ ଓ ମଲେ ତାର ଇୟତ୍ତା ରହିଲା ନାହିଁ।
ଏଣେ ରାଜ୍ୟରେ ଅରାଜକତା ବ୍ୟାପିଗଲା। ଦରିଦ୍ରମାନେ ବିତାଡ଼ିତ ହୋଇଗଲା ପରେ ଧନୀ ବର୍ଗଙ୍କ ସେବା କରିବା ଲାଗି ଲୋକ ମିଳିଲେ ନାହିଁ। କେବଳ ରାଜା ନିଜ ଆରାମ ଲାଗି କିଛି ଲୋକ ରଖିଥିଲେ। ଏଥିରେ କ୍ଷୁବ୍ଧ ସାମନ୍ତମାନେ ବିଦ୍ରୋହ କଲେ। ଅବସ୍ଥା ଅସମ୍ଭାଳ ହେବାରୁ ରାଜା ନିଜ ପ୍ରାଣ ବଞ୍ଚାଇ ଜଙ୍ଗଲ ଭିତରକୁ ପଳାୟନ କଲେ।
ଜଙ୍ଗଲରେ ସେ ବଞ୍ଚି ରହିଥିବା ଦରିଦ୍ରମାନଙ୍କ ସହିତ ମୁହାଁମୁହିଁ ହୋଇଗଲେ। ରାଜା ଭାବିଲେ ଯେ ଏଥର ତାଙ୍କ ପ୍ରାଣ ଯିବା ସୁନିଶ୍ଚିତ। ସେ ଭାବିଲେ ଯେ ତାଙ୍କ କୃତକର୍ମର ଫଳ ତାଙ୍କୁ ମିଳୁଛି। କିନ୍ତୁ ତାଙ୍କୁ ବିସ୍ମିତ କରି ସେହି ଲୋକେ ସାଧ୍ୟ ମୁତାବକ ତାଙ୍କୁ ଆତିଥ୍ୟ ପ୍ରଦାନ କଲେ ଏବଂ ତାଙ୍କ ସେବା କଲେ। ଲଜ୍ଜାରେ ରାଜାଙ୍କ ମଥା ଅବନତ ହୋଇଗଲା। ଏବେ ସେହି ଦରିଦ୍ର ଲୋକେ ରାଜାଙ୍କ ସୈନିକ ହେଲେ ଯାହାଙ୍କ ସହାୟତାରେ ରାଜା ସିଂହାସନ ଫେରି ପାଇଲେ।
ତା’ ପରେ ରାଜାଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ବଦଳିଗଲା। ସେ ସ୍ବୀକାର କଲେ ଯେ ଦରିଦ୍ରମାନଙ୍କ ବ୍ୟବହାର ହିଁ ଥିଲା ତାଙ୍କ କୃତକର୍ମର ସମୁଚିତ ପ୍ରତିଶୋଧ, ଯାହା ପୁରୁଣା ରାଜାଙ୍କ ନିଧନ ଘଟାଇ ନୂଆ ରାଜାଙ୍କୁ ଜନ୍ମ ଦେଲା।
ସମୁଚିତ ପ୍ରତିଶୋଧ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)