ଗୋଟିଏ ଦପ୍ତରରେ ନୂଆ ଅଫିସର କାର୍ଯ୍ୟରେ ଯୋଗଦେଲେ। ସେ ଜଣେ ଭଲ ଲୋକ ହୋଇଥିବା ସତ୍ତ୍ବେ କିଛି ଲୋକ ତାଙ୍କ ବିଷୟରେ ଦପ୍ତରରେ ଭୁଲ୍ କଥା କହିବାରୁ ତାଙ୍କର ଏକ ନକରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହୋଇଗଲା। କର୍ମଚାରୀମାନେ ଭାବିଲେ ଯେ ସେ ଜଣେ ଗର୍ବୀ, ଉଦ୍ଧତ ଓ ନିଷ୍ଠୁର ଅଫିସର। ଏଣେ ଅଫିସରଙ୍କ ବ୍ୟକ୍ତିଗତ ସହାୟକ ଭାବେ ନିଯୁକ୍ତ ବ୍ୟକ୍ତିଙ୍କ ପୂର୍ବରୁ ଦୁର୍ନାମ ଥିଲା। ଏଣୁ କର୍ମଚାରୀମାନେ ପ୍ରମାଦ ଗଣିଲେ।
ଅଫିସର ଜଣକ ତାଙ୍କ ସଂପର୍କରେ ଜାତ ଧାରଣାକୁ ନେଇ ବ୍ୟସ୍ତ ହେଲେ। ଏ କଥା ସେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ କହିବାରୁ ସେ କହିଲେ- ଆଜ୍ଞା, ଆମ ଦପ୍ତରରେ ଲୋକେ ମହା ପାଜୀ। ସେମାନେ ବହୁତ ସମୟ ନଷ୍ଟ କରୁଛନ୍ତି। ଗୋଟିଏ ନୋଟିସ୍‌ ବାହାର କରନ୍ତୁ ଯେ ଅଫିସରେ କେବଳ ଖାଇବା ସମୟକୁ ବାଦ୍‌ ଦେଲେ ଯେମିତି କେହି ହେଲେ ସିଟ୍‌ରୁ ଉଠି ପାରିବେ ନାହିଁ। ଉଠିଲେ ଦଣ୍ତ ମିଳିବ। ଆପଣଙ୍କୁ ଯଦି ଏଭଳି ନୋଟିସ ତଳେ ସ୍ବାକ୍ଷର କରିବାକୁ ଭୟ ଲାଗୁଛି, ତେବେ ମୋର ଦସ୍ତଖତ ରହୁ।
ଅଗତ୍ୟା ସେମିତି ଏକ ନୋଟିସ୍‌ ବାହାରିଲା। ଏହା ଦେଖି ଅଫିସରେ ଭୀଷଣ ଅସନ୍ତୋଷ ଜାତ ହେଲା। ସମସ୍ତେ କଥାବାର୍ତ୍ତା ହେଲେ- ଅବାଗିଆ ଅଫିସର ଶେଷ‌େର ସେଇ ଚୁଗୁଲି ଖୋର୍‌ର କଥା ଶୁଣି ଏଭଳି ନୋଟିସ୍ ବାହାର କରିଛି।
ଏହାର କିଛି ଦିନ ପରେ ସେଇ ବ୍ୟକ୍ତିଗତ ସହାୟକ ଅଫିସରଙ୍କୁ କହିଲେ- ସାର‌୍‌, ଏବେ ସେ ଆଦେଶ ହଟାଇ ଦିଅନ୍ତୁ। ଏଥର ନୋଟିସ୍ ତଳେ ଆପଣଙ୍କ ଦସ୍ତଖତ ରହୁ।
ଅଫିସର କହିଲେ- ୟେ କି ପାଗଳାମି। ଆପଣ କାଲି ଗୋଟିଏ କଥା କହୁଥିଲେ, ଆଜି ଆଉ ଗୋଟିଏ କଥା କହୁଛନ୍ତି।
ବ୍ୟକ୍ତିଗତ ସହାୟକ କହିଲେ- ତାହା ଠିକ୍‌। କିନ୍ତୁ ମୋ କଥା ମାନି ଦେଖନ୍ତୁ ।
ଅଫିସର ତାହା କଲେ। ଏହାପରେ ଦପ୍ତରର କର୍ମଚାରୀମାନେ ବ୍ୟକ୍ତିଗତ ସହାୟକଙ୍କୁ ନିନ୍ଦା କରିବା ସହିତ ଅଫିସରଙ୍କ ପ୍ରଶ˚ସା କଲେ।
ଅଫିସର ବୁଝିପାରିଲେ ଯେ ତାଙ୍କ ବ୍ୟକ୍ତିଗତ ସହାୟକ ଅସଲରେ ଜଣେ ଅତି ଭଲ ଲୋକ, ଯଦିଓ ସେ ବଦନାମ ହେବାର କାରଣ ଅଛି।