କଥାଟିଏ ଯାଯାବର, ଭଗବାନଙ୍କ ବର

ଥରେ ଜଣେ ବ୍ୟକ୍ତି ମନ୍ଦିର ଯାଇ ଭଗବାନଙ୍କୁ ତାଙ୍କ ପୁଅ କେମିତି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପାସ୍‌ କରିବ ସେ ନେଇ ଗୁହାରି ଜଣାଇଲେ। ସେ କହିଲେ- ପ୍ରଭୁ, ମୋ ପୁଅ ଯଦି ଏ ପରୀକ୍ଷାରେ ପାସ କରିଯାଏ, ତେବେ ମୁଁ ତୁମକୁ ପାଞ୍ଚ ହଜାର ଟଙ୍କାର ଦାନ ଦେବି।
ତେବେ, ଏ କଥାଟି ମନରେ ଭାବି ସାରିବାର ପର ମୁହୂର୍ତ୍ତରେ ତାଙ୍କ ମନରେ ଭାବାନ୍ତର ଆସିଲା। ସେ ପୁଣି ଭାବିଲେ- ପାଞ୍ଚ ହଜାର ଟଙ୍କାଟା ଅଧିକ ହୋଇଗଲା। ଯଦି ମୋ ପୁଅ ପାସ କରିଯାଏ ତେବେ ପାଞ୍ଚ ହଜାର ଦେବାକୁ ହେବ। ହଉ, ଦେଖିବା ସେ ଆଗ ପାସ୍‌ କରୁ, ତା ପରେ ଯେଉଁ କଥା!
ସେ ବ୍ୟକ୍ତି ଏମିତି ଭାବୁଥିବା ବେଳେ ଭଗବାନ ପ୍ରକଟ ହୋଇଗଲେ। ଏଥିରେ ବ୍ୟକ୍ତି ଜଣକ ଗଦଗଦ ହୋଇ ଭଗବାନଙ୍କ ଗୋଡ଼ ତଳେ ପଡ଼ିଯାଇ କହିଲେ- ହେ, ପ୍ରଭୁ ଆପଣ ଏତେ ଶୀଘ୍ର ଗୁହାରି ଶୁଣନ୍ତି ବୋଲି ମୋର ଧାରଣା ନ ଥିଲା। ଆପଣ ଏବେ ଆସିଗଲେଣି ଯେତେବେଳେ ମୋ ଅଭିଳାଷ ପୂରଣ କରନ୍ତୁ।
ଭଗବାନ ସବୁ ଦିନ ଭଳି ସ୍ମିତ ହାସ୍ୟ ଦେଇ କହିଲେ- ଆରେ ବାବୁ, ମୁଁ ସେଇଥି ଲାଗି ତ ଆସିଛି। ତୋ ଅଭିଳାଷ ପୂରଣ ହେଉଥିବା ଭଳି ସୁସମ୍ବାଦ ଦେବାକୁ ଆସିଛି।
ବ୍ୟକ୍ତି ଜଣକ ଅଧୀର ହୋଇ କହି ଉଠିଲେ- ତାହା ହେଲେ କ’ଣ ମୋ ପୁଅ ପାସ୍‌ କରିଗଲା?
ଭଗବାନ କହିଲେ- ନା, ସୁସମ୍ବାଦଟି ହେଲା ତୁମର ପାଞ୍ଚ ହଜାର ଟଙ୍କା ବଞ୍ଚିଗଲା।
ଏହା କହି ଭଗବାନ ଉଭେଇ ଗଲେ।
ଭଦ୍ରଲୋକ କ’ଣ ଆଉ କରନ୍ତେ। ଯେମିତି ପାଞ୍ଚୁଥିଲେ, ଭଗବାନ ସେମିତି ଫଳଟିଏ ଦେଲେ।

ସମ୍ବନ୍ଧିତ ଖବର