ରାଜାଙ୍କୁ ତାଙ୍କର ବିଚକ୍ଷଣ ମନ୍ତ୍ରୀ କହିଲେ- ମହାରାଜ, ଆପଣଙ୍କ ରାଜ୍ୟରେ ଈଶ୍ବରଙ୍କୁ ପରାସ୍ତ କଲା ଭଳି ପୁରୁଷ ଅଛନ୍ତି।
ସମ୍ରାଟ ପଚାରିଲେ- ସେ କିଏ?
ମନ୍ତ୍ରୀ କହିଲେ- ବାଇଜିଦ୍‌। ରାଜା କହିଲେ- ବାଇଜିଦ୍? ସେ ଯେଉଁ ଭିକାରି ବାଇଜିଦ୍!
ଭିକାରି ଭଳି ଦିଶୁଥିବା ବାଇଜିଦ୍ ପ୍ରକୃତରେ ଥିଲେ ସୁଫିସନ୍ଥ।
ମନ୍ତ୍ରୀ ହଁ ଭରିଲେ ଏବଂ କହିଲେ- ଚାଲନ୍ତୁ ତାଙ୍କ ପାଖକୁ। ମୋ କଥାର ପ୍ରମାଣ ବି ପାଇଯିବେ।
ରାଜା ଓ ମନ୍ତ୍ରୀ ଛଦ୍ମ ବେଶରେ ବାଇଜିଦ୍‌ଙ୍କ କୁଡ଼ିଆ ପାଖକୁ ଗଲେ।
ସଂଧ୍ୟା ବେଳ। ବାଇଜିଦ୍‌ ପ୍ରାର୍ଥନା କରିବାକୁ ବାହାରକୁ ଆସିଲେ। ଅତ୍ୟନ୍ତ ଶୀର୍ଣ୍ଣକାୟ ଦିଶୁଥିବା ବାଇଜିଦ୍‌ଙ୍କ ମୁହଁରେ ପ୍ରଫୁଲ୍ଲତା ବିରାଜମାନ କରୁଥିଲା। ସେ ପ୍ରାର୍ଥନା କଲେ। ପ୍ରାର୍ଥନା ସରିବା ପରେ ଜଣେ ଚେଲା ପଚାରିଲା- ଆଜି ଆପଣ ଭଗବାନଙ୍କୁ କ’ଣ କହିଲେ?
ବାଇଜିଦ୍‌ କହିଲେ- ମୁଁ କହିଲି ପ୍ରଭୁ, ମୋର ଆବଶ୍ୟକତା ପୂରଣ କରିଥିବାରୁ ଧନ୍ୟବାଦ।
ଏହା ଶୁଣି ଚେଲା ଟିକିଏ ବିଚଳିତ କଣ୍ଠରେ କହିଲା- ଆପଣ ତିନି ଦିନ ଧରି ଉପାସରେ। ଯାହା ଭିକ୍ଷା ମିଳୁଛି ସବୁ ଆମକୁ ଅର୍ପଣ କରି ନି‌ଜେ ଅନାହାରରେ ଅଛନ୍ତି! ଆଜି ମଧ୍ୟ ଆପଣ ଉପାସରେ ରହିବା ନିଶ୍ଚିତ। ତଥାପି ଭଗବାନଙ୍କୁ ଏଭଳି କେମିତି ପ୍ରାର୍ଥନା କରୁଛନ୍ତି?
ବାଇଜିଦ୍‌ କହିଲେ- ଚାରି ଦିନର ଉପବାସ ତ ମୋର ଆବଶ୍ୟକତା ଥିଲା!
ଟିକିଏ ଦୂରରୁ ଏ ସବୁ ଶୁଣୁଥିବା ରାଜା ଏବେ ମନ୍ତ୍ରୀଙ୍କୁ କହିଲେ- ଚାଲନ୍ତୁ ଫେରିବା। ତୁ‌େମ ଠିକ କହିଥିଲ।