ଜଣେ ବ୍ୟାଧ ରାଜାଙ୍କୁ ଏକ ସୁନ୍ଦର ପକ୍ଷୀ ଉପହାର ଦେଲା। ରାଜା ତା’ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଗଲେ। ସେ ଏକ ସୁବର୍ଣ୍ଣ ପଂଜୁରି ତିଆରି କରି ତା’ ଭିତରେ ପକ୍ଷୀକୁ ରଖିଲେ। ଦୂରଦୂରାନ୍ତରୁ ଅପୂର୍ବ ଫଳମାନ ଆଣି ତାକୁ ଆହାର ରୂପେ ଦେଲେ। ରାଜା ତାକୁ ଏମିତି ପାଗଳ ଭଳି ଭଲ ପାଇଲେ ଯେ ସଦାବେଳେ ତାକୁ ନିଜ ପାଖରେ ରଖିଲେ। 
ନାବାଳକ ରାଜା ପୁଅ ମଧ୍ୟ ପକ୍ଷୀଟିକୁ ବହୁତ ଭଲ ପାଉଥିଲେ। ସେ ମଧ୍ୟ ପଂଜୁରି ପାଖରେ ବସି ତା’ ସହିତ ଅନେକ ଗପସପ କରୁଥିଲେ। 
ଦିନକର କଥା। ରାଜା ପୁଅ ତାଙ୍କ ପିତାଙ୍କୁ କହିଲେ- ପକ୍ଷୀଟିକୁ ଛାଡ଼ିଦେବା।
ରାଜା ବିସ୍ମୟ ଭରେ ପଚାରିଲେ- କାହିଁକି? 
ରାଜା ପୁଅ କହିଲେ- ତା’ ମନ ଭଲ ରହୁନାହିଁ। ସେ ତା’ର ପ୍ରିୟ ପରିଜନମାନଙ୍କୁ ମନେ ପକାଉଥିବ ନିଶ୍ଚୟ। 
ରାଜା କହିଲେ- ବାଜେ କଥା। ପୁଣି ଏହାକୁ ଛାଡ଼ିଲେ ବଞ୍ଚିବା କେମିତି? ସେ ତ ଆମର ପ୍ରାଣସଂଙ୍ଖାଳି ହୋଇ ସାରିଲାଣି। 
ରାଜା ପୁଅ କହିଲେ- ସତ କଥା। ହେଲେ, ମୁଁ ତା’ ଦୁଃଖ ଦେଖି ପାରୁଛି। 
ରାଜା କ’ଣ କରିବେ ବୋଲି ଭାବି ନ ପାରି ବୃଦ୍ଧ ମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ। ବିଜ୍ଞ ମନ୍ତ୍ରୀ କହି‌େଲ- ପୁଅ କଥା ମାନନ୍ତୁ। ଆପଣଙ୍କ ଭଳି ରାଜପୁତ୍ର ମଧ୍ୟ ତାକୁ ବହୁତ ଭଲ ପାଆନ୍ତି। କିନ୍ତୁ ତାଙ୍କ ଭଲ ପାଇବାରେ ଆପଣଙ୍କ ଭଳି ବାନ୍ଧି ରଖିବାର ମନୋକାମନା ନାହିଁ। ପ୍ରକୃତ ଭଲ ପାଇବା ମୁକ୍ତ କରେ, ବାନ୍ଧି ଦିଏ ନାହିଁ। 
ରାଜା ଥିଲେ ଗୁଣୀ। ମନ୍ତ୍ରୀଙ୍କ କଥାର ମର୍ମ ସେ ବୁଝିଲେ। ସେ ପକ୍ଷୀଟିକୁ ଛାଡ଼ିଦେଲେ। 
ପକ୍ଷିଟି ଉଡ଼ିଗଲା। କିନ୍ତୁ ପର ଦିନ ଫେରି ଆସି ରାଜାଙ୍କ କାନ୍ଧରେ ବସିଲା। ରାଜା ବିହ୍ବଳ ହୋଇଗଲେ। ପ୍ରକୃତ ପ୍ରେମର ଅଦୃଶ୍ୟ ବନ୍ଧନର ଡୋରି ଲାଗି ଯାଇଥିଲା, ଯାହା କେବେ ଛିନ୍ନ ହେବ ନାହିଁ।