କଥାଟିଏ ଯାଯାବର, ବିଲୁଆର ଭୋକ

ମଣିଷ କାହିଁକି ସର୍ବଦା ଦୁଃଖ ପାଉଥାଏ ବୋଲି ଜଣେ ଭଦ୍ର ବ୍ୟକ୍ତି ପଚାରନ୍ତେ ଗୁରୁ ୟୁଜିକେ କହିଥି‌ଲେ ଏହି କଥାଟି। ଥରେ ଗୋଟିଏ ବିଲୁଆ ସକାଳୁ ଶିକାର ଖୋଜିବାକୁ ବାହାରିଲା। ସକାଳୁ ସକାଳୁ ତାର ଏକ ବଡ଼ ଛାଇ ଦେଖି ବିଲୁଆ ଭାବିଲା- ସତରେ ଆଜି ମୁଁ ଯେତିକି ବଡ଼ ହୋଇଯାଇଛି, ମୋ ଜଳଖିଆ ଲାଗି ଓଟଟିଏ ‌େଲାଡ଼ା। ସୁତରାଂ, ସେ ଓଟ ଖୋଜିବାରେ ଲାଗିଲା। କିନ୍ତୁ ଓଟଟିଏ ପାଆନ୍ତା ବା କେମିତି? ପାଇଲେ ବି ଲାଭ କ’ଣ ହୁଅନ୍ତା? କିନ୍ତୁ ସେଥି ପ୍ରତି ପରୁଆ ନ କରି ସେ ଓଟ ଖୋଜି ଖୋଜି ହାଲିଆ ହୋଇଗଲା। କ୍ରମେ ମଧ୍ୟାହ୍ନ ହୋଇଗଲା। ତାର ଭୋକ ବି ଦୁଇ ଗୁଣ ହୋଇଯାଇଥିଲା। ବିନା ଜଳଖିଆରେ ଏବେ ମଧ୍ୟାହ୍ନ ଭୋଜନର ସମୟ ଆସିଯାଇଥିଲା।

ଏତିକି ବେଳେ ଦୈବାତ୍ ସେ ତଳକୁ ଚାହିଁ ଦେବାରୁ ଦେଖିଲା ମଧ୍ୟାହ୍ନ ସମୟର ଛାଇ ପୂରା ଛୋଟ ହୋଇ ତା ଶରୀର ସହ ଲାଗି ଯାଇଛି। ସେ ଖୁସି ହୋଇଗଲା। ନିଜକୁ ନିଜେ ସେ କହିଲା- ଯାହା ହେଉ, ଆଉ ଓଟ ଖୋଜିବା ଦରକାର ନାହିଁ। ବୁଦା ତଳର ଏଣ୍ଡୁଅଟିଏ ବି କାମ ଦେବ। ଏହା କହି ସାରି ୟୁଜିକେ କହିଲେ- ଆମେମାନେ ଆମ ନିଜକୁ ନ ଦେଖି ଆମ କାମନାକୁ ସକାଳର ଛାଇ ଭଳି ବଢ଼ାଇ ଦେଇ ଦୁଷ୍ପ୍ରାପ୍ୟ ଓଟ ସନ୍ଧାନରେ ଲାଗି ଥିବାରୁ ଜୀବନ ଯାକ ହା’ ହୁତାଶନରେ ଘାଣ୍ଟି ହେଉ। ମଧ୍ୟାହ୍ନର ଛାଇ ଆମ ଅସଲ ସ୍ଥିତିକୁ ଜଣାଏ; ତା’ ପରେ ଆମେ ଆଉ ଓଟର ଆବଶ୍ୟକତା ଅନୁଭବ ନ କରି ଅଳ୍ପରେ ଆନନ୍ଦ ପାଇବାର ବାଟ ଧରୁ।

ସମ୍ବନ୍ଧିତ ଖବର