ଅଧିକାଂଶ ଧନୀକ ଦରିଦ୍ର! ଅଧିକାଂଶ ସମ୍ରାଟ ଭିକାରି!
ଏହି କଥା ୟୁଜିକେଙ୍କ ଠାରୁ ଶୁଣୁ ଶୁଣୁ ଜଣେ କହି ଉଠିଲେ- କେମିତି? ସେମାନଙ୍କ ପାଖରେ ଗାଡ଼ି, ଘୋଡ଼ା, ଉଆସ ଭଳି ଘର, ବିପୁଳ ଟଙ୍କା ଥାଏ। ସେମାେନ ଦରିଦ୍ର ହେଲେ କିପରି?
ୟୁଜିକେ କହିଲେ- ତୁମେ ଯାହା ସବୁ କହିଗଲ ସେ ସବୁକୁ ସେମାନେ ନିଜ ସଂପଦ ବୋଲି କେବେ ହେଲେ ଗଣନ୍ତି ନାହିଁ। ସେ ସବୁ ସେମାନଙ୍କ ଠାରେ ଅତି ସାଧାରଣ ଅର୍ଥାତ୍ ନ ଥିଲା ଭଳି। ତୁମ ଲାଗି ତୁମ ସାର୍ଟ ଯେମିତି! ତୁମ ଲାଗି ଅତି ସାଧାରଣ, ଅଥଚ ଜଣେ ପୁଙ୍ଗୁଳା ଲୋକ ଲାଗି ବହୁତ କିଛି! ତେଣୁ ସେ ଭଳି ବିଚାର ମୂଲ୍ୟହୀନ।
ଏବେ ଏହି କଥାଟି ଶୁଣ। ମୋର ଜଣେ ଅତି ଧନୀ ବ୍ୟବସାୟୀ ବନ୍ଧୁ ଅତି ବିମର୍ଷ ହୋଇଗଲେ ଯେ ତାଙ୍କର ପନ୍ଦର ଲକ୍ଷ ଟଙ୍କା କ୍ଷତି ହୋଇଗଲା। ମୁଁ କିନ୍ତୁ ପୂର୍ବ ଦିନ ତାଙ୍କ ପତ୍ନୀଙ୍କ ଠାରୁ ଶୁଣିଥିଲି ଯେ ତାଙ୍କର ପାଞ୍ଚ ଲକ୍ଷ ଟଙ୍କା ଲାଭ ହୋଇଛି! ମୁଁ ବିସ୍ମିତ ହୋଇ ତାଙ୍କୁ ସେହି କଥା ପଚାରିଲି।
ସେ କହିଲେ- କି ଲାଭ କଥା କହୁଛ? ମୁଁ ଭାବିଥିଲି ମୋ ବ୍ୟବସାୟରୁ ଅତି କମ୍ରେ କୋଡ଼ିଏ ଲକ୍ଷ ଟଙ୍କା ଲାଭ ହେବ। ଦେଖିଲା ବେଳକୁ ହେଲା ପାଞ୍ଚ ଲକ୍ଷ; ପନ୍ଦର ଲକ୍ଷ କ୍ଷତି।
ୟୁଜିକେ କହିଲେ- ଯେଉଁ ଲୋକ ପାଞ୍ଚ ଲକ୍ଷ ଟଙ୍କା ଲାଭରେ ସନ୍ତୁଷ୍ଟ ନୁହେଁ, ଆହୁରି ଖୋଜୁଛି; ତା’ ଠାରୁ ଅଧିକ ଦରିଦ୍ର ଆଉ କିଏ? ସମ୍ରାଟମାନଙ୍କ କାମନା ସବୁ ବେଳେ ଅଧିକ, ଆଶା ଅଧିକ, ତେଣୁ ଅପ୍ରାପ୍ତିର ଦୁଃଖ ଅଧିକ। ରାଜ୍ୟଟିଏ ଥାଇ ବି ଦିଗ୍ବିଜୟ କରିବାକୁ ଇଚ୍ଛା। ଏମାନଙ୍କ ଠାରୁ ଅଧିକ ଦରିଦ୍ର ଆଉ କିଏ? କବୀର କହି ନାହାନ୍ତି କି, ‘ଯାହାର କିଛି ହେଲେ ଦରକାର ନାହିଁ ସେ ହିଁ ରାଜାଧିରାଜ’।
ଧନୀ ହିଁ ଦରିଦ୍ର!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)