ବୃଦ୍ଧ ଘରେ ବସିଥିଲା ବେଳେ ତାଙ୍କ ସାମନାରେ ଛିଡ଼ା ହେଲା ଭୟଙ୍କର ଛାଇ। ବୃଦ୍ଧ ଡରିଯାଇ ପଚାରିଲେ- ତୁମେ କିଏ?
ସେଇ ଛାୟାମୂର୍ତ୍ତି କହିଲା- ଡରନ୍ତୁ ନାହିଁ। ମୁଁ ହେଉଛି ମୃତ୍ୟୁ ଦୂତ। ଆପଣଙ୍କ ସମୟ ପୂରିଯିବାକୁ ବସିଛି, ତ ମୁଁ ଆପଣଙ୍କ ଆତ୍ମାକୁ ନେବା ଲାଗି ଆସିଛି।
ବୃଦ୍ଧ କହିଲେ- ମୁଁ ଜଣେ ଭଲ ଲୋକ ଭାବେ ଜୀବନ କାଟି ଆସିଛି। ସୁଖରେ ଦୁଃଖରେ ଭଗବାନଙ୍କୁ ଡାକି ଆସିଛି। ଏବେ ଯେତେବେଳେ ମୋର ଶେଷ ବେଳ ଉପନୀତ, ମୁଁ କହିବାକୁ ଚାହେଁ ଯେ ଭଲ ଲୋକଟିଏ ହୋଇଥିବାରୁ ମୋତେ ଆପଣ ଆଉ ଗୋଟିଏ ସୁଯୋଗ ଦେବା ଦରକାର।
ମୃତ୍ୟୁ ଦୂତ ଏହା ଶୁଣି କହିଲା- ଏମିତି ତ ଦ୍ବିତୀୟ ସୁଯୋଗ କାହାକୁ ହେଲେ ଦେବା କଥା ନୁହେଁ। ତେବେ ତୁମେ ଯେତେବେଳେ ଦ୍ବିତୀୟ ସୁଯୋଗ କଥା କହିଲଣି ଏଇ ନିଅ ଭାଗ୍ୟର ବହି ଏବ˚ କଲମ। ତୁମେ ଏଠି ନିଜ ଭାଗ୍ୟ ବଦଳାଇବାର ସୁଯୋଗ ପାଇବ। କିନ୍ତୁ ତୁମ ହାତରେ ଅଛି ଜମାରୁ ପାଞ୍ଚ ମିନିଟ୍।
ଏହା କହି ସେ ବୃଦ୍ଧଙ୍କ ହାତକୁ ବଢ଼ାଇ ଦେଲା ଭାଗ୍ୟର ବହି। ବୃଦ୍ଧ ତରବର ହୋଇ ଭାଗ୍ୟର ବହିର ପୃଷ୍ଠା ଓଲଟାଇ ନିଜ ଭାଗ୍ୟକୁ ଖୋଜି ଚାଲିଲେ। ହଠାତ୍ ସେ ଅଟକି ଗଲେ। ତାଙ୍କ ମୁହଁର ଭାବ ବଦଳିଗଲା। ସେ କହିଲେ- ମୋ ପଡ଼ୋଶୀମାନଙ୍କ ଭାଗ୍ୟ ଏତେ ଭଲ କେମିତି? ଏହା ମୋ ପ୍ରତି ଅନ୍ୟାୟ। ଏହା କହି ସେ କଲମ ଆଣି ପଡ଼ୋଶୀମାନଙ୍କ ଭାଗ୍ୟକୁ ବଦଳାଇବାକୁ ଲାଗିଲେ। ସେ କାମ କରିସାରି ସେ ନିଜ ଭାଗ୍ୟ ପାଖରେ ପହଞ୍ଚିଲା ବେଳକୁ ତାଙ୍କ ସମୟ ସରିଯାଇଥିଲା। ମୃତ୍ୟୁ ଦୂତ କହିଲା- ତୁମ ମନର ଈର୍ଷା ହେତୁ ମହାର୍ଘ ସୁଯୋଗ ହରାଇଲ। ଏବେ ଚାଲ।
ଶେଷ ସୁଯୋଗ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)