ଜଣେ କବି ଗୁରୁଙ୍କୁ କହିଲେ- ମହାତ୍ମା, ମୁଁ ଆଉ କବିତା ଲେଖି ପାରୁନାହିଁ। କାରଣ ମୋର ଶତ୍ରୁ ଅନେକ। ସେମାନେ ବିଭିନ୍ନ ପତ୍ରପତ୍ରିକାରେ ମୋ କବିତାକୁ ଏଭଳି ନିନ୍ଦା ଓ ସମାଲୋଚନା କରୁଛନ୍ତି ଯେ ମୁଁ ଏବେ କଲମ ଧରିବାକୁ ଡରିଲିଣି।
ଗୁରୁ କହିଲେ- ଦେଖ, କିଛି ଦିନ ତଳେ ଆଉ ଜଣେ ଲେଖକ ମୋ ପାଖକୁ ଆସି କହୁଥିଲେ ଯେ ସେ ବି ଲେଖାଲେଖି କରି ପାରୁ ନାହାନ୍ତି। କିନ୍ତୁ ସେ ଦେଉଥିବା କାରଣଟି ତୁମ କାରଣର ଠିକ୍ ବିପରୀତ। କାରଣ ସେ କହୁଥିଲେ ଯେ ତାଙ୍କ ଲେଖାର ପ୍ରଶ˚ସାରେ ବିଭୋର ହୋଇ ସେ ପ୍ରଥମେ ପ୍ରଥମେ ତ ପୂର୍ଣ୍ଣ ପ୍ରାଣରେ ଲେଖାଲେଖି କରିବାରେ ଲାଗିପଡ଼ିଲେ। କିନ୍ତୁ ଲେଖାଲେଖିର ମାତ୍ରାଧିକ୍ୟ ହେତୁ ସେ ଏବେ ଅନୁଭବ କରୁଛନ୍ତି ଯେ ସେ ଆଉ ପୂର୍ବ ଭଳି ଭଲ ଲେଖି ପାରୁ ନାହାନ୍ତି। ସେ ମାନସିକ କ୍ଳାନ୍ତିର ଶିକାର ହେଲେଣି।
ଏହା ଶୁଣି ତରୁଣ କବି କହିଲେ- ୟେ କେମିତି କଥା? ପ୍ରଶ˚ସା ପ୍ରେରଣା ଯୋଗାଏ। ସେ ବନ୍ଧୁ ପ୍ରଶ˚ସା ପାଇ ବି କେମିତି ଲେଖାଲେଖି କରି ପାରୁନାହାନ୍ତି, ତାହା ମୁଁ ଭାବୁଛି।
ଗୁରୁ କହିଲେ- ତୁମେ ଦୁହେଁ ଯେହେତୁ ବିଚାରବୁଦ୍ଧି ଖଟାଉନାହିଁ, ତେଣୁ ଏମିତି ଦଶା ଭୋଗୁଛ। ପ୍ରଶ˚ସା ଓ ନିନ୍ଦା ଉଭୟ ମନକୁ ଚଞ୍ଚଳ ଓ ବିଚଳିତ କରାଏ। ପ୍ରଶ˚ସା ଅହ˚କୁ ଏମିତି ସ୍ଫୀତ କରାଏ ଯେ ମନୁଷ୍ୟ ନିଜକୁ ସବୁଠାରୁ ଅଧିକ ଭଲ ବୋଲି ଭାବେ। ଜଣେ ଅହ˚କାରୀ ସ୍ରଷ୍ଟା ତା’ର ସର୍ଜନା ପ୍ରତି ନ୍ୟାୟ ଦେଇପାରେନା। ସେମିତି ନିନ୍ଦା ଅହ˚କୁ ଏମିତି ଆଘାତ ଦିଏ ଯେ ମନୁଷ୍ୟର ଆତ୍ମପ୍ରତ୍ୟୟ ଭାଙ୍ଗିପଡ଼େ ଏବ˚ ସେଇ ବେଳାରେ ଜଣେ ସ୍ରଷ୍ଟା ସର୍ଜନା କରିବାର ଦକ୍ଷତା ହରାଏ। ଏଣୁ ଦୁଇଟି ଯାକ କଥା ତୁମ କ୍ଷତିର କାରଣ ହୋଇପାରେ। ତେଣୁ କୌଣସି କଥା ପ୍ରତି ଧ୍ୟାନ ନ ଦେଇ କେବଳ ନିଜ ଶ୍ରେଷ୍ଠତମ ସୃଷ୍ଟିର ଚେଷ୍ଟାରେ ବ୍ୟାପୃତ ରହ।
ନିନ୍ଦା ଓ ପ୍ରଶଂସା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)