ଗୋଟିଏ ଗାଁରେ ସର୍ବଦା ସୁଖଶାନ୍ତି ବିରାଜମାନ କରୁଥିଲା। ଲୋକେ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରୁଥିଲେ। ପ୍ରତ୍ୟେକ ଅପରକୁ ବିଶ୍ବାସ କରୁଥିଲେ।
ସେଇ ଗାଁ ଦେଇ ଜଣେ ସନ୍ନ୍ୟାସୀ ଯାଉଥିଲେ। ଗାଁରେ ତାଙ୍କୁ ଯେଭଳି ଆତିଥ୍ୟ ପ୍ରଦାନ କରାଗଲା, ସେ କୃତକୃତ୍ୟ ହୋଇଗଲେ। ସେ ଗାଁ ଲୋକଙ୍କୁ କହିଲେ- ଆପଣମାନେ ଅତି ଭଲ ଓ ଭଦ୍ର ସ୍ବଭାବର। ସେଥି ଲାଗି ତ ଆପଣଙ୍କ ଗାଁରେ ଏତେ ସୁଖ ଓ ଶାନ୍ତି। ଏହି ସମୟରେ ଖବର ଆସିଲା ଯେ ପୂର୍ବ ଦିନ ରାତିରେ ଗାଁର ମୁଖିଆଙ୍କ ଘରୁ ସବୁ କିଛି ଚୋରି ହୋଇଯାଇଛି। ଗାଁରେ ଲୋକେ ପରସ୍ପରକୁ ଏତେ ବିଶ୍ବାସ କରୁଥିଲେ ଯେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ବି କରୁ ନ ଥିଲେ। ତେଣୁ ଆଖପାଖ ଗାଁର ଚୋରମାନେ ଅନେକ ସମୟରେ ଦାଉ ସାଧୁଥିଲେ।
ସନ୍ନ୍ୟାସୀ ଏହା ଶୁଣି ମୁଖିଆଙ୍କୁ ଦେଖା କରିବାକୁ ଗଲେ। ମୁଖିଆ ବି ଥିଲେ ଜଣେ ଅତି ସାଧାରଣ ଗାଁ ଲୋକ। ସନ୍ନ୍ୟାସୀ ଦେଖିଲେ ଯେ ସେ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି।
ପ୍ରାର୍ଥନା ସରିବା ପରେ ସନ୍ନ୍ୟାସୀ ପଚାରିଲେ- ଆପଣ ପ୍ରାର୍ଥନାରେ କ’ଣ ସବୁ କହୁଥିଲେ?
ମୁଖିଆ କହିଲେ- କାଲି ରାତିରେ ଆମ ଘରୁ ସବୁ କିଛି ଚୋରି ହୋଇଯାଇଛି। ମୁଁ ଜାଣେ କେଉଁମାନେ ଏହା କରିଛନ୍ତି। ଜାଣେ ସେମାନେ ଏଭଳି କାହିଁକି କରୁଛନ୍ତି। ଅଭାବେ ସ୍ବଭାବ ନଷ୍ଟ।
ସନ୍ନ୍ୟାସୀ ପଚାରିଲେ- ଯେଉଁ ଲୋକେ ଚୋରି କରିଛନ୍ତି ସେମାନେ କ’ଣ ଖୁବ୍ ଦରିଦ୍ର?
ମୁଖିଆ କହିଲେ- ହୁଏତ ନା। ସେମାନେ ଆମ ଠାରୁ ଅଧିକ ସଂପନ୍ନ ହୋଇଥାଇ ପାରନ୍ତି। କିନ୍ତୁ ଅଭାବ ତ ସେମାନଙ୍କ ମନରେ! ଆମ ଗାଁ ଲୋକେ ସେମିତି ଅଧିକ ସଂପନ୍ନ ନୁହନ୍ତି। ସେମାନେ ସାଧାରଣ। କିନ୍ତୁ ସେମାନଙ୍କ ଠାରେ ଅଭାବବୋଧ ନ ଥାଏ। ତେଣୁ ସେମାନେ ସୁଖୀ ଓ ସତ୍।
କିଏ ଅଭାବୀ!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)