ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଆଶ୍ରମରୁ ବିଦାୟ ଦେଲା ବେଳେ ଦୀକ୍ଷା ଦେଇ କହିଲେ- ପ୍ରତିଜ୍ଞା କର, ତୁ ସଦା ବେଳେ ସତ କହିବୁ। କେବେ ମିଛ କହିବୁ ନାହିଁ। ଶିଷ୍ୟ ତାହା ପ୍ରତିଜ୍ଞା କରି ଆଶ୍ରମରୁ ମେଲାଣି ନେଲା।
ଅନେକ ବର୍ଷ ଗଲା। ଦିନେ ଶିଷ୍ୟଟି ଆସି ଗୁରୁଙ୍କ ପାଖରେ ପହଞ୍ଚିଲା।
ଗୁରୁ ତାକୁ ପଚାରିଲେ- କେମିତି ଅଛୁ? ମୋ ଶିକ୍ଷାକୁ ହେଜି ରହିଛୁ ନା ଭୁଲି ଯାଇଛୁ?
ଶିଷ୍ୟ କହିଲା- ଆଜ୍ଞା, ଆପଣଙ୍କ ମଞ୍ଜି ଶିକ୍ଷାଟିକୁ ମନେ ରଖିଛି। କିନ୍ତୁ ଏବେ ଭାବୁଛି େଯ ତାହା ଅର୍ଥହୀନ ଥିଲା।
ଗୁରୁ ଭ୍ରୂକୁଂଚନ କରି କହିଲେ- ମୋ ଶିକ୍ଷା ଅର୍ଥହୀନ ଥିଲା? ଏ କଥା କହିବାକୁ ତୋର ସାହସ ହେଲା କେମିତି?
ଶିଷ୍ୟ କହିଲା- ମୁଁ ତ ଆପଣଙ୍କ ଠାରୁ ସେଇ ଶିକ୍ଷା ନେଇ ବାହାରିଲି ଯେ ଯାହା ବି ହୋଇଯାଉ ସଦାବେଳେ ସତ କହିବି। କିନ୍ତୁ ତାହା କ’ଣ ସମ୍ଭବ?
ଗୁରୁ କହିଲେ- କାହିଁକି ନୁହେଁ? ସବୁବେଳେ ସତ କହିବାରେ କିଏ ବାଧା ଦେବ?
ଶିଷ୍ୟ କହିଲା- ସଦାବେଳେ ସତ କଥା କହି ହୁଏନାହିଁ। କାରଣ ଅନେକ ସମୟେର ସତ ଶୁଣି ସହ୍ୟ କରିବା ଲାଗି ଭଗବାନ କାନ ଓ ମନ ଦେଇ ନାହାନ୍ତି। ତେଣୁ ଭାବିଚିନ୍ତି ସତ କହିବାକୁ ହୁଏ। ଆପଣଙ୍କ ଶିକ୍ଷା ଅର୍ଥହୀନ ଥିଲା ବୋଲି କହିଲି ଏବଂ ଆପଣ କ୍ଷୁବ୍ଧ ହେଲେ। ତେଣୁ ଏଭଳି କଥା ଆଉ କେହି ଜଣେ ହେଲେ ଶିଷ୍ୟ ଆପଣଙ୍କୁ କହିବ କି? ଆପଣଙ୍କୁ ଯାହା ଶୁଣିବାକୁ ଭଲ ଲାଗିବ ତାହା ହିଁ ସମସ୍ତେ କହିବେ। ମୋ ମତରେ ସତ କହିବା ଠାରୁ ଅଧିକ ଭଲ ହେଲା ସତ୍ ହେବା। ସତ କହିବା ମଧ୍ୟ ସତ୍ ହେବାର ଏକ ଅଂଶ। କିନ୍ତୁ ଅପ୍ରିୟ ସତ କହି ଦୁଃଖ ଦେବା ବା ସତ କହି କାହାର ଅନିଷ୍ଟ କରିବା ସତ୍ ହେବା ଭିତରେ ଯାଏ ନାହିଁ। ତେଣୁ କେବଳ ସତ କହିବାକୁ ଧ୍ୟେୟ ନ କରି ସତ୍ ହେବା ଦିଗରେ ଉଦ୍ୟମ କରିବା ଭଲ ବୋଲି ମୁଁ ଭାବୁଛି।
ସତ କହିବା ନା ସତ୍ ହେବା!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)