ସମୁରାଇ ଯୋଦ୍ଧା ହେବା ପାଇଁ ଜଣେ ଯୁବକ ଗୁରୁଙ୍କ ନିକଟକୁ ଗଲା। ଗୁରୁ କହିଲେ- ମୋ ପାଖରେ ରହ। କେବେ ଶିକ୍ଷା ଦେବା ଆରମ୍ଭ କରିବି, ସେ କଥା ପଚାରିବୁ ନାହିଁ। ଯେଉଁଦିନ ପଚାରିବୁ, ଘରକୁ ଯିବୁ।
ଯୁବକ କିଛି ନ କହି ଗୁରୁଙ୍କ ନିକଟରେ ରହିଲା। ଗୁରୁ ତାକୁ ଯାବତୀୟ କାମରେ ଲଗାଇଲେ, କିନ୍ତୁ ତରବାରି ଚାଳନା ଶିଖେଇବା କଥା ତୁଣ୍ଡରେ ଧରିଲେ ନାହିଁ। ଏମିତି ବିତିଗଲା କିଛି ବର୍ଷ। ଯୁବକଟି ହତାଶ ହେବାକୁ ଆରମ୍ଭ କରୁଥିବା ବେଳେ ଦିନେ ଗୋଟିଏ କାଠ ଖଣ୍ଡାରେ ଗୁରୁ ପଛରୁ ଆଘାତ ଦେଲେ।
ଯୁବକ ଚମକି ପଡ଼ିଲା ଏବଂ ଗୁରୁ କହିଲେ-ଶିକ୍ଷା ଆରମ୍ଭ ହେଲା। ଏବେ ତୋତେ ପ୍ରତି କ୍ଷଣ ସଜାଗ ରହିବାକୁ ହେବ। କାରଣ ମୁଁ ଅତର୍କିତ ଭାବେ କୋଉ ନା କୋଉ କୋଣରୁ ତୋତେ ପିଟିବି।
ଯୁବକ ସଜାଗ ରହିଲା। କିନ୍ତୁ ଗୁରୁଙ୍କ ପ୍ରହାରରୁ ରକ୍ଷା ପାଇପାରିଲା ନାହିଁ। କୋଉ କୋଣରୁ କେତେବେଳେ ମାଡ଼ ପଡ଼ିବ ତା’ର କିଛି ଠିକଣା ନ ଥିଲା। ତେଣୁ ସେ ଏକାଗ୍ରତାର ସହିତ ସଜାଗତା ବଢ଼ାଇବାକୁ ଚେଷ୍ଟା କଲା। କ୍ରମେ ତାହା ଏମିତି ବଢ଼ିଲା େଯ ଗୁରୁ ପଛପଟୁ ପାଦ ଚିପି ଚିପି ଆସିଲେ ବି ସେ ଜାଣି ପାରିଲା। ନିଦରେ ଶୋଇଲା, କିନ୍ତୁ ଚୈତନ୍ୟ ଜାଗ୍ରତ ରହିଲା। ନିଦରେ ଶୋଇଥିଲା ବେଳେ ବି ଗୁରୁ ପ୍ରହାର ବେଳେ ତା’ର ହାତ ଆପେ ଟେକି ହୋଇଯାଇ କାଠ ଖଣ୍ଡାକୁ ଧରି ପକାଉଥିଲା। କ୍ରମେ ଏମିତି ହେଲା ଯେ ଗୁରୁଙ୍କ ମନରେ ତାକୁ ପିଟିବାର ବିଚାର ଆସିବା ମାତ୍ରକେ ସେଇ ତରଙ୍ଗକୁ ସେ ଅନୁଭବ କରିପାରିଲା।
ଗୁରୁ କହିଲେ- ଏବେ ତୋ ଶିକ୍ଷା ଶେଷ। ଜାଣିବାକୁ ଚାହୁଁଛୁ କି ଖଡ୍ଗ ଚାଳନା ଶିଖାଇ ନ ଥିବା ସତ୍ତ୍ବେ ତୋ ଶିକ୍ଷା ଶେଷ ହେଲା କେମିତି? ଖଡ୍ଗ ଚାଳନାରେ ଶିକ୍ଷା ପାଇବାର କିଛି ନ ଥାଏ। ଏହାର ମୂୂଳରେ ରହିଛି ତୀବ୍ର ସଜାଗତାବୋଧ। ତାହା ତୁ ହାସଲ କରି ପାରିଛୁ। ତୋ ପ୍ରତିପକ୍ଷ ତୋ ଉପେର କିଭଳି ଆଘାତ କରିବ ବୋଲି ଭାବୁଛି, ତାହା ମଧ୍ୟ ତୁ ଜାଣି ପାରିବୁ। ଏମିତି ସ୍ଥିତିରେ ତୋର ପରାଜୟ ଅସମ୍ଭବ।
ଖଡ୍ଗ ଚାଳନା ଶିକ୍ଷା
କଥାଟିଏ-ଯାଯାବର