ଜଣେ ସିଦ୍ଧ ଜ୍ୟୋତିଷ ଥିଲେ। ସେହି ଅଞ୍ଚଳରେ ତାଙ୍କର ସୁନାମ ଥିଲା ସତ, କିନ୍ତୁ ତାଙ୍କ ପତ୍ନୀ ସ୍ବାମୀଙ୍କର ଏହି କାର୍ଯ୍ୟରେ ଖୁସି ନ ଥିଲେ। ତାଙ୍କ ଭୟ ଥିଲା ଯେ ଏହି ବିଦ୍ୟାରେ ଅଦମ୍ୟ ଆଗ୍ରହ ତାଙ୍କ ସ୍ବାମୀଙ୍କୁ ତନ୍ତ୍ର ବିଦ୍ୟା ବା ଗୁଣିଗାରେଡ଼ି ଆଡ଼କୁ ଭିଡ଼ି ନେବ।
ଦିନକର କଥା। ଜ୍ୟୋତିଷ ମହାଶୟ ଗାଁ ମଶାଣି କଡ଼ ଦେଇ ଯାଉଥିବା ବେଳେ ପାଖ ନର୍ଦ୍ଦମାରେ ମଣିଷ ଖପୁରିଟିଏ ପଡ଼ିଥିବା ଦେଖିଲେ। ଖପୁରିର କପାଳ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଖପୁରିର କପାଳରେ ଆହୁରି ଦୁର୍ଭାଗ୍ୟ ଭୋଗ କରିବାର ଲେଖା ଥିଲା। ଖପୁରିଟି ନର୍ଦ୍ଦମାରେ ଶଢୁଥିଲା। ଜ୍ୟୋତିଷ ମନେ ମନେ ହସି ଭାବିଲେ- ‘ଆହୁରି ଦୁର୍ଭାଗ୍ୟ ଭୋଗିବାର ଅଛି!’
ତେଣୁ, ସେ କୌତୂହଳ ପରବଶ ହୋଇ ଖପୁରିକୁ ନେଇ ଆସିଲେ ଏବଂ ଏକ କନାରେ ଗୁଡ଼େଇ ତାକୁ ନିଜ ପ୍ରକୋଷ୍ଠର ଗୋଟିଏ ନିଭୃତ କୋଣରେ ରଖି ଦେେଲ। ପର ଦିନ ତାଙ୍କ ପତ୍ନୀ କୌଣସି ଜିନିଷ ଖୋଜୁ ଖୋଜୁ ଜ୍ୟୋତିଷଙ୍କ ପ୍ରକୋଷ୍ଠରେ ସେହି ଖପୁରିଟିକୁ ପାଇଗଲେ। ସେ ଏବେ ନିଶ୍ଚିତ ହେଲେ ଯେ ତାଙ୍କ ସ୍ବାମୀ ମଶାଣିରେ ତନ୍ତ୍ର ସାଧନା କରୁଛନ୍ତି। ରାଗରେ ଜର୍ଜର ହୋଇ ସେ ଗୋଟିଏ ହାତୁଡ଼ି ଆଣି ଖପୁରିକୁ ପିଟି ଚୂନା କରି ଘର ବାହାର ନାଳରେ ଫିଙ୍ଗି ଦେଲେ।
ସନ୍ଧ୍ୟାରେ ସ୍ବାମୀ ଘରକୁ ଫେରିବା ପରେ ତାଙ୍କୁ ମଧ୍ୟ ଉଚ୍ଚବାଚ ଶୁଣାଇଲେ। ଜ୍ୟୋତିଷ ମହାଶୟଙ୍କୁ ପତ୍ନୀଙ୍କ କଟୂକ୍ତି ବିଶେଷ ବାଧୁ ନଥିଲା। କାରଣ ଖପୁରର କପାଳରେ ଯେଉଁ ଦୁର୍ଭାଗ୍ୟ ଭୋଗିବା କଥା ଲେଖା ଥିଲା, ତାହା ଫଳିବା ତାଙ୍କୁ ଆମୋଦିତ କରୁଥିଲା।
କପାଳ ଲିଖନ
କଥାଟିଏ-ଯାଯାବର