ଜଣେ ରାଜା ଥିଲେ। ଅତି ବିଚାରବନ୍ତ ଭାବେ ତାଙ୍କର ଖୁବ୍ ସୁନାମ ଥିଲା। ଥରେ ତାଙ୍କ ପଟ୍ଟରାଣୀ ଉଦ୍ୟାନରେ ବୁଲୁଥିବା ବେଳେ ମଜାରେ ତୀର ଚାଳନା କରୁଥିଲେ। ଅନ୍ଧାର ହୋଇଆସୁଥିଲା। ହଠାତ୍ ସେ ଏକ ଆର୍ତ୍ତନାଦ ଶୁଣିଲେ। ତୀର ଉଦ୍ୟାନର ଯୁବ ମାଳୀ ଦେହରେ ବାଜିଥିଲା। ମାଳୀ ସେଇଠି ମରିଗଲା। ମାଳୀର ଯୁବତୀ ସ୍ତ୍ରୀ ଆସି ରାଜାଙ୍କ ପାଖରେ କାନ୍ଦିଲା ଏବ˚ ନ୍ୟାୟ ମାଗିଲା।
ରାଜା ସମସ୍ୟାରେ ପଡ଼ିଗଲେ। କ’ଣ କରିବେ? ରାଣୀଙ୍କ ଭୁଲ୍ ହୋଇଛି, ଯଦିଓ ଅଜାଣତରେ। ତେବେ, ତାଙ୍କୁ ନ୍ୟାୟ ଦେବାକୁ ହେବ। ସେ ବିଚାର କଲେ ଏବ˚ ତତ୍କ୍ଷଣାତ୍ ନ୍ୟାୟ ବି ଦେଲେ। କହିଲେ- ‘ରାଣୀଙ୍କ ତୀରରେ ତୋ ସ୍ବାମୀ ମରିଛି। ଏବେ ନେ, ଏ ଧନୁତୀର। ମୋତେ ମାରିଦେ। ରାଣୀଙ୍କୁ ବି ତୋ ଭଳି ବୈଧବ୍ୟ ଯନ୍ତ୍ରଣା ଭୋଗିବାକୁ ଦେ।’ ମାଲୁଣୀ ରାଜାଙ୍କ ପାଦ ତଳେ ପଡ଼ିଗଲା ଓ କହିଲା- ‘ମୋ ଭଳି ଅକି˚ଚନ ଏ ସ˚ସାରରେ ଅନେକ ଅଛନ୍ତି। କିନ୍ତୁ ମୋ ପାଇଁ ନ୍ୟାୟ ଦେଇ ଆପଣଙ୍କ ଭଳି ଜଣେ ବିଚାରବନ୍ତ ରାଜାଙ୍କୁ ହରାଇବାର ଅର୍ଥ ଗୋଟିଏ। ରାଜ୍ୟ ତଥା ରାଜ୍ୟବାସୀ ଅପୂରଣୀୟ କ୍ଷତି ସହିବେ।’
ସେ ଦିନ ରାତିରେ ଅନୁତପ୍ତା ରାଣୀ ରାଜାଙ୍କୁ କହିଲେ- ସତରେ, ଆପଣଙ୍କ ବିଚାରର ପଟାନ୍ତର ନାହିଁ। ଆପଣ ସତରେ ମହାନ୍। ରାଜା କିନ୍ତୁ କହିଲେ- ମୁଁ ନୁହେଁ। ମହାନ୍ ମୋ ଦେଶର ପ୍ରଜା। ସଦ୍ୟ ବିଧବା ହୋଇଥିବା ଯୁବତୀ ମୋ’ ପ୍ରାଣ ରକ୍ଷା କଲା ବେଳେ ମୋତେ ଯାହା କହିଦେଇଗଲା, ସେଥିରୁ ବୁଝିହୁଏ ଅଧିକ ବିଚାରବନ୍ତ କିଏ? ଅଧିକ ମହାନ କିଏ?