ଦିଗ୍ବିଜୟୀ ଆଲେକ୍ଜାଣ୍ଡର ଯେତେବେଳେ ନିଜ ଜନ୍ମଭୂମି ମାସିଡୋନିଆକୁ ଫେରିଲେ, ସେତିକି ବେଳେ ତାଙ୍କ ସହିତ ଦେଖା ହେଲା ପ୍ରସିଦ୍ଧ ଗ୍ରୀକ୍ ଦାର୍ଶନିକ ଡିଓଜିନସଙ୍କ ସହିତ। ଗୋଟିଏ ନଦୀ କୂଳରେ କୁଡ଼ିଆ ଭିତରେ ଡିଓଜିନସ ଜଣେ ଭିକାରି ଭଳି ଜୀବନ କାଟୁଥିଲେ ସତ, କିନ୍ତୁ ସେ ଥିଲେ ମସ୍ତ ମୌଲା, ସର୍ବଦା ମହାନନ୍ଦରେ ରହୁଥିଲେ ସେ।
ଆଲେକ୍ଜାଣ୍ଡର ତାଙ୍କୁ କହିଲେ- ଦିଗ୍ବିଜୟରେ ବାହାରିବା ପୂର୍ବରୁ ତୁମ ସହିତ ଦେଖା ହୋଇଥିଲା। ଏବେ ପୁଣି ଦେଖା ହେଲା। ଦେଖ, ଆଜି ଅଧା ପୃଥିବୀ ମୋ ପଦାନତ। ମୁଁ ଆଉ ଥରେ ଦିଗ୍ବିଜୟରେ ବାହାରିବି। ଶୁଣ ଡିଓଜିନସ ତୁମେ ବା ତୁମ ଭଳି ବ୍ୟକ୍ତିମାନେ ସବର୍ଦା ତୃପ୍ତ ଥାଅ। ଜୀବନ ଠାରୁ କିଛି ଲୋଡ଼ ନାହିଁ। କିନ୍ତୁ ଦିଗ୍ବିଜୟୀ ବୀର ଆଲେକ୍ଜାଣ୍ଡର ଜୀବନରେ ଯଦି ଗୋଟିଏ କଥାକୁ ଡରେ, ତାହା ହେଲା ତୃପ୍ତି ଭାବ। କାରଣ ଥରେ ତାହା ଆସିଗଲେ ଆକାଂକ୍ଷା, ଉଚ୍ଚାଭିଳାଷ ମରିଯାଏ। ମୁଁ ସହଜରେ ତୃପ୍ତ ହୁଏ ନାହିଁ ବୋଲି ଆଜି ବି ଅଭିଯାନରେ ଅଛି। ନୂଆ ନୂଆ ଭୂଖଣ୍ଡ ଜୟ କରୁଛି। ଦିଗ୍ବିଜୟୀ ବୋଲି ସମସ୍ତେ ମୋତେ ସମ୍ମାନ ଦେଉଛନ୍ତି।
ଡିଓଜିନସ ଏ ସବୁ କଥା ନିରବରେ ଶୁଣିଲେ। ତା ପରେ ସେ କହିଲେ- ସିକନ୍ଦର, ତୁମେ ବହୁତ କିଛି ଚାହୁଁଛ ଏବଂ ତାକୁ ହାସଲ କରିବା ଲାଗି ଯୁଦ୍ଧ ଅଭିଯାନ ଜାରି ରଖିଛ। ତୁମ ସୈନିକମାନେ ବି କ୍ଳାନ୍ତ। ତୁମେ କହୁଛ ଯେ ତୃପ୍ତ ହେବାକୁ ତୁମେ ଭୟ କର। କିନ୍ତୁ ଅସଲ କଥା ହେଲା, ତୁମେ ସାରା ପୃଥିବୀକୁ ପଦାନତ କରି ପାରିଛ ସିନା, ଅତୃପ୍ତିକୁ ହରାଇ ପାରିନାହଁ। ତୁମେ ଯେତେ ଯାହା ହାସଲ କଲେ ବି ତୃପ୍ତି ହାସଲ କରିପାରିନାହଁ। ତୁମେ ତୃପ୍ତ ହେବାକୁ ଭୟ କର ବୋଲି ଯାହା କହୁଛ, ପ୍ରକୃତରେ ତାହା ନୁହେଁ। ତୁମ ଲାଗି ତୃପ୍ତି ଦୁଷ୍ପ୍ରାପ୍ୟ।