କଥାକୁହା ଖପୁରି

କଥାଟିଏ-ଯାଯାବର

ଜଣେ ଅତ୍ୟନ୍ତ କୁହାଳିଆ ଲୋକ ଥିଲା। ସବୁ ବେଳେ ଅଯଥାରେ ଗପିବା ତା’ର ଅଭ୍ୟାସ। ଥରେ ସେ ଗୋଟିଏ ଜଙ୍ଗଲ ଧାରରେ ଗୋଟିଏ ମଣିଷ ଖପୁରି ପଡ଼ିଥିବାର ଦେଖି ତା’ର ବକରବକର ହେବା ସ୍ବଭାବ ଅନୁସାରେ ପଚାରି ଦେଲା- କିଓ ବାବୁ ଏଠି କେମିତି ପଡ଼ିଚ? ତୁମର ଏ ଦଶା କଲା କିଏ?
ଖପୁରିଟି କହିଲା- ରାଜାଙ୍କୁ ଡାକ, ତାଙ୍କ ଅାଗରେ କହିବି!
ଲୋକଟି ସ୍ତବ୍‌ଧ ହୋଇଗଲା। ଖପୁରି ପୁଣି କଥା କହୁଛି? କି ଆଶ୍ଚର୍ଯ୍ୟ! ସେ ରାଜାଙ୍କ ପା‌ଖକୁ ଦୌଡ଼ିଲା ଏବଂ ତାଙ୍କୁ ସବୁ କଥା କହି ସେହି ସ୍ଥାନକୁ ଆସିବାକୁ କଟାଳ କଲା। ରାଜା ସବୁ ଶୁଣିଲେ କିନ୍ତୁ ଏ ଦିଗରେ ଆଗ୍ରହ ପ୍ରକାଶ କଲେ ନାହିଁ। କିନ୍ତୁ ଗପୁଡ଼ି ଲୋକଟି ଏମିତି ବିରକ୍ତ କରି ପକାଇଲା ଯେ ଅଗତ୍ୟା ରାଜା‌ ବାହାରିଲେ ଏବଂ ଖପୁରି ପାଖରେ ପହଞ୍ଚି‌େଲ। ଏବେ ସେ ଲୋକଟି ଖପୁରିକୁ ଯେତେ ନେହୁରା ହେଲେ ବି ଖପୁରି କଥା କହିଲା ନାହିଁ। ରାଜା ଅଗ୍ନିଶର୍ମା ହୋଇ ପାଖରେ ଥିବା ସୈନିକକୁ ଅ‌ାଦେଶ ଦେଲେ ଏଇ ଲେକାର ମୁଣ୍ଡ କାଟି ଏଠି ପକାଇ ଦିଅ। ତା’ ପରେ ରାଜା ସେଠାରୁ ଚାଲିଗଲେ।
‌‌ଲୋକଟି ଏବେ କାନ୍ଦିଲା। ସୈନିକ ଜଣକ ରାଜାଙ୍କ ଆଜ୍ଞା ପାଳନ କରିବାକୁ ଉଦ୍ୟତ ହେଲା ବେଳକୁ ଖପୁରି କଥା କହିଲା‌। ଏବେ ସୈନିକଟି ତଟସ୍ଥ ହୋଇଗଲା।
ଖପୁରିଟି କହିଲା: ବାବୁ ୟାକୁ ଛାଡ଼ି ଦିଅ। ଦେଖ ମୁଁ କଥା କହୁଛି। କିନ୍ତୁ ଖପୁରି କଥା କହିଲା ବୋଲି ତୁମେ ଯାଇ ରାଜାଙ୍କୁ କହିବ ନାହିଁ।
ତା’ ପରେ ଖପୁରିଟି ସେହି ଲୋକ ଉଦ୍ଦେଶ୍ୟରେ କହିଲା- ଏବେ ବୁଝି ପାରୁଛ ତ ମୁଁ କେଉଁ କାରଣରୁ ଏଠି ପଡ଼ିଥିଲି? ତୁମେ ବି ଆଉ ଟିକକରେ ଏଠି ପଡ଼ି ଥାଆନ୍ତ! ଦରକାର ଠାରୁ ଅଧିକ କଥା କୁହନା। ନ ହେଲେ ମୋ ଭଳି ଦଶା ଭୋଗିବାକୁ ହେବ।

ସମ୍ବନ୍ଧିତ ଖବର