ରାଜାଙ୍କର ଜଣେ ବିଶ୍ବସ୍ତତମ ସେବକ ବାର୍ଦ୍ଧକ୍ୟ ହେତୁ ତାଙ୍କ ଦାୟିତ୍ବରୁ ଅବ୍ୟାହତି ନେଲା ବେଳେ ରାଜାଙ୍କୁ ଅନୁରୋଧ କଲେ ଯେ ତାଙ୍କ ପୁଅକୁ କୌଣସି ଏକ କାମରେ ଲଗାଇ ଦିଆଯାଉ। ରାଜା ତାକୁ ଦ୍ବାର ରକ୍ଷକ ଭାବେ ନିଯୁକ୍ତି ଦେଲେ।
କିଛି ଦିନ ପରେ କୌଣସି ଏକ କାରଣରୁ ରାଜା ତାଙ୍କର ସେହି ପୁରୁଣା ସେବକଙ୍କୁ ଡକାଇଲେ। ରାଜପ୍ରାସାଦର ସମସ୍ତେ ଥିଲେ ତାଙ୍କର ଜଣାଶୁଣା। ତେଣୁ ସେ ପହଞ୍ଚୁ ପହଞ୍ଚୁ ରାଜପ୍ରାସାଦର ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ବେଢ଼ିଗଲେ। କିନ୍ତୁ ରାଜ ଉଆସ ଭିତରକୁ ପ୍ରବେଶ କଲା ବେଳକୁ ଦ୍ବାର ଠାରେ ଅଟକାଇଲା ତାଙ୍କ ପୁଅ।
ସେ କହିଲା- ଆପଣଙ୍କ ସ˚ପୂର୍ଣ୍ଣ ତନଖି ନେବାକୁ ଚାହିଁବି!
ସେବକ ଜଣକ ଅପ୍ରତିଭ ଦିଶିଲେ, କିଞ୍ଚିତ ଅପମାନିତ ମଧ୍ୟ ମନେ କଲେ। ହେଲେ, କିଛି କହିବାକୁ ନ ଦେଇ ପୁଅ ତାଙ୍କର ତନଖି ନେବା ପରେ ଯାଇ ଭିତରକୁ ଛାଡ଼ିଲା।
ରାଜାଙ୍କ ସହିତ କାର୍ଯ୍ୟ ସମାପନ ପରେ ସେ ଘରକୁ ଫେରିଲେ। ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ କହିଲେ- ଆଜି ପୁଅ ଦ୍ବାରା ଅପଦସ୍ଥ ଓ ଅପମାନିତ ହେଲି।
ପତ୍ନୀ କଥା କ’ଣ ବୋଲି ଜାଣିବାକୁ ଚାହିଁବାରୁ ସେ ସବୁ କଥା କହିଲେ। ଏହା ଶୁଣି ପତ୍ନୀ କହିଲେ- ଖରାପ ମନେ କରିବ ନାହିଁ, ତୁମେ ରାଜାଙ୍କ ବିଶ୍ବସ୍ତତମ ସେବକ ଥିଲ ବୋଲି ଆଉ କାହାକୁ କହିବ ନାହିଁ। କାରଣ ତୁମ ପୁତ୍ର ସେ ଅଧିକାର ତୁମ ଠାରୁ ନେଇ ଯାଇଛି। କାରଣ କର୍ତ୍ତବ୍ୟ ସଂପାଦନ କଲା ବେଳେ ତୁମେ ରାଜାଙ୍କର ବିଶ୍ବସ୍ତତମ ସେବକ ଏବଂ ତା’ର ପିତା ବୋଲି ସେ ଭୁଲି ଯାଇଛି। ଦ୍ବିତୀୟ କଥା ହେଲା ସେ ତା’ର କର୍ତ୍ତବ୍ୟବୋଧ ଦ୍ବାରା ତୁମର ଅପମାନ କରିନାହିଁ, ବରଂ ତୁମର ସମ୍ମାନ ରକ୍ଷା କରିଛି। ଏବେ ତା’ ଠାରୁ ଆମର ଶିଖିବାର ସମୟ ଉପନୀତ।