ଗୋଟିଏ ଜଙ୍ଗଲରେ ଠେକୁଆ ପରିବାରଟିଏ ଥିଲେ। ସେମାନେ ଥିଲେ ତାଙ୍କ ଅଞ୍ଚଳର ସବୁଠାରୁ ପୁରୁଣା ବାସିନ୍ଦା। ସେମାନେ ଯେତେବେଳେ ସେଠାରେ ରହିଲେ, ସେ ଅଞ୍ଚଳରେ ଆଉ କୌଣସି ଜନ୍ତୁଜୁନ୍ତା ନ ଥିଲେ। ତେଣୁ ସେମାନେ ନିର୍ଭୟରେ ବୁଲାଚଲା କରୁଥିଲେ। ଦିନେ ଦଳର ମୁଖିଆ ବୁଢ଼ା ଠେକୁଆ ଆସି କହିଲା- ଭାଇମାନେ ଶୀଘ୍ର ଲୁଚିଯାଅ।
ଏଭଳି ଲୁଚିବା ଠେକୁଆମାନଙ୍କ ଲାଗି ନୂଆ ଥିଲା। ତଥାପି ସେମାନେ ଲୁଚିଗଲେ। କିଛି ସମୟ ପରେ ମୁଖିଆ ସେମାନଙ୍କୁ ଡାକି କହିଲା- ଏବେ ବାହାରକୁ ଆସ।
ସମସ୍ତେ ବାହାରକୁ ଆସିବା ପରେ ସେ କହିଲା- ଭାଇମାନେ ସମୟ ବଦଳି ଯାଇଛି। ଆମ ଅଞ୍ଚଳରେ ହେଟାର ଗନ୍ଧ ପାଇଲି। ଏଣିକି ଆଉ ଆଗ ଭଳି ନିର୍ଭୟରେ ବୁଲାବୁଲି କରିହେବନାହିଁ।
ଏ କଥାକୁ ଦଳର କିଛି ଯୁବକ ହସରେ ଉଡ଼ାଇ ଦେଇ କହିଲେ- ଏ ସବୁ ବାଜେ କଥା। ତୁମେ ବୁଢ଼ା ହୋଇଗଲଣି, ତେଣୁ ଭୟ ଗ୍ରାସିଲାଣି।
ବୁଢ଼ା କହିଲା- ଆମେମାନେ ଯୁଦ୍ଧଖୋର ଜାତି ହୋଇଥିଲେ ଏ କଥା କହି ନଥାଆନ୍ତି। ଆମ ଜାତିର ଆଚରଣ କଥା ଜାଣି ଏହା କହିଲି।
କିନ୍ତୁ ବୁଢ଼ା କଥା ଯୁବ ଠେକୁଆମାନେ ଶୁଣିଲେ ନାହିଁ। କିନ୍ତୁ ଯେଉଁମାନେ ସାହସ ଦେଖାଇ ବୁଲିଲେ ସେମାନେ ହେଟା ପଲ ହାତରେ ମଲେ।
ଏବେ ଠେକୁଆମାନେ ପରସ୍ପର ଭିତରେ ଆଲୋଚନା କରି ଠିକ୍‌ କଲେ ଯେ ଏଣିକି ଦେଖି ଚାହିଁ ବୁଲାବୁଲି କରିବେ। ଏବେ ମୁଖିଆ କହିଲା- ଶୁଣ, ଅନେକ ସମୟରେ ଡରିବା ଭଲ। ତାହା କିଛି ନ ହେଲେ କେତେକ ସ୍ଥଳରେ ଅନ୍ତତଃ ତୁମକୁ ରକ୍ଷା କରିବ। ସାହସ ଏକ ଭଲ ଗୁଣ ହୋଇପାରେ, କିନ୍ତୁ ଅଯଥା ସାହସ ହେଉଛି ନିର୍ବୋଧତା।