ପ୍ରାଚୀନ କାଳର କଥା। ଇହୁଦୀମାନଙ୍କ ରାଜା ହେରୋଡ୍ ଲୋହିତ ସାଗର କୂଳରେ ସ୍ଥାପନ କରିଥିଲେ ମାସାଡ଼ାର ଦୁର୍ଗ। ହେରୋଡ୍ଙ୍କ ମୃତ୍ୟୁ ପରେ ରୋମାନ୍ମାନେ ମାସାଡ଼ା ଉପରେ ଆକ୍ରମଣ କରି ଅଧିକାର କରିନେଲେ। ମାସାଡ଼ାକୁ ସେମାନଙ୍କ ଆକ୍ରମଣରୁ ରକ୍ଷା କରିବା ସକାଶେ ଜେରୁଜେଲମର କିଛି ‘ଜିଓଲଟ୍’ (ଇହୁଦୀ ଯୋଦ୍ଧା) ବାହାରିଲେ। ଏହା ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର କଥା।
‘ଜିଓଲଟ୍’ମାନଙ୍କ ଆକ୍ରମଣ ଏବ˚ ଯୁଦ୍ଧପଟୁତାରେ ଦୁର୍ଧର୍ଷ ରୋମାନ୍ମାନେ ପରାଜିତ ହୋଇ ପଳାୟନ କଲେ। ମାସାଡ଼ା ଅଧିକାର କଲା ପରେ ସେଇ ଦୁର୍ଗରେ ପୁଣି ଇହୁଦୀ ଆଧିପତ୍ୟ ସ୍ଥାପିତ ହେଲା। କିନ୍ତୁ ପରାଜୟର ପ୍ରତିଶୋଧ ନେବା ସକାଶେ ରୋମାନ୍ମାନେ ଖୁବ୍ ସଜ୍ଜିତ ହୋଇ ବିଶାଳ ସେନାବାହିନୀ ଧରି ପୁଣି ଫେରିଲେ। ଏବେ ପରାଜୟ ଆସନ୍ନ ଜାଣି ମାସାଡ଼ା ଭିତରେ ରହୁଥିବା ଇହୁଦୀ ଯୋଦ୍ଧାମାନେ ପ୍ରଥମେ ଗୋଟି ଗୋଟି କରି ନିଜର ପତ୍ନୀ, ସନ୍ତାନ ଏବ˚ ପିତାମାତାମାନଙ୍କୁ ହତ୍ୟା କଲେ। ତା’ପରେ ସେମାନେ ପରସ୍ପରକୁ ହତ୍ୟା କଲେ। ରୋମାନ୍ମାନଙ୍କ ହାତରେ ପରାଜୟ ବରଣ କରିବା ଅପେକ୍ଷା ପ୍ରାଣବଳି ଦେବାକୁ ସେମାନେ ସମ୍ମାନଜନକ ବୋଲି ବିଚାର କଲେ।
ରୋମାନ୍ମାନେ କୌଣସି ପ୍ରକାର ପ୍ରତିରୋଧର ସମ୍ମୁଖୀନ ନ ହୋଇ ମାସାଡ଼ା ଭିତରକୁ ପ୍ରବେଶ କଲେ। ଯଦିଓ କୌଣସି ପ୍ରତିରୋଧର ସାମନା କରି ନ ଥିବାରୁ ସେମାନେ ଚକିତ ହେଲେ, ଭିତରେ ପଶି ଯାହା ଦେଖିଲେ ସେଥିରେ ହତବାକ୍ ହୋଇଗଲେ। ସମ୍ମାନ ରକ୍ଷା ଲାଗି ପ୍ରାଣବଳି ଦେଇଥିବା ଇହୁଦୀ ଯୋଦ୍ଧାଙ୍କ ପ୍ରତି ରୋମାନମାନଙ୍କ ମସ୍ତକ ସମ୍ମାନରେ ନଇଁଗଲା।