ଗୋଟିଏ ଆଶ୍ରମରେ ଅନେକ ଶିଷ୍ୟ ରହୁଥିଲେ। ଥରେ ଗୁରୁ କିଛି ମାସ ଲାଗି ଆଶ୍ରମ ବାହାରକୁ ଗଲେ। ଗଲା ବେଳକୁ ସେ ଜଣେ ଶିଷ୍ୟକୁ ଆଶ୍ରମ ପରିଚାଳନାର ଭାର ଦେଇଗଲେ। ସେହି ଶିଷ୍ୟ ଥିଲେ ଅତି ବିନମ୍ର ସ୍ବଭାବର ଏବଂ ଅତି ସୁଶୀଳ।
ଗୁରୁ ଯିବା ପରେ ଶିଷ୍ୟ ଜଣକ ନୂଆ ଦାୟିତ୍ବ ନେଇ ବ୍ୟସ୍ତ ହୋଇ ଉଠିଲେ। ଏଣିକି ସେ ସମସ୍ତଙ୍କ ଠାରୁ ଆଗରୁ ଶଯ୍ୟା ତ୍ୟାଗ କଲେ। ଆଶ୍ରମର ବିଭିନ୍ନ ଜାଗାକୁ ଯାଇ କାମଦାମ କେମିତି ଚାଲିଛି ତଦାରଖ କଲେ। ଆଶ୍ରମରେ ଥିଲା ବଗିଚା, ଗୋଶାଳା, ଭଣ୍ତାର ଘର, ପାକ ଶାଳା ଇତ୍ୟାଦି। ତା’ ଛଡ଼ା ଅନ୍ୟାନ୍ୟ ଅନେକ ନିତିଦିନିଆ କାର୍ଯ୍ୟ। ଗୁରୁଙ୍କ ତତ୍ତ୍ବାବଧାନରେ ସବୁ ଯେମିତି ଚାଲିଥିଲା, ସେମିତି ଚାଲିିଲା ସିନା, ହେଲେ, ଶିଷ୍ୟ ଜଣକ ଭାବୁଥିଲେ ସତେ ଯେମିତି କିଛି ଊଣା ରହିଯାଉଛି। ଅନ୍ୟ ଶିଷ୍ୟମାନେ ସେମାନଙ୍କ ଦାୟିତ୍ବକୁ ଠିକଣା ଭାବେ ସ˚ପାଦନ କରୁ ନାହାନ୍ତି।
ତେଣୁ ସେ କ୍ରମେ ବିରକ୍ତ ହେବାକୁ ଲାଗିଲେ। ତାଙ୍କ ପାଖରେ ଏବେ କ୍ଷମତା ଥିବାରୁ ଯେଉଁମାନେ କାମରେ ଭୁଲ୍ ଭଟକା କରୁଥିଲେ, ସେମାନଙ୍କୁ ସେ ମୃଦୁ ଦଣ୍ତ ବି ଦେବାକୁ ଲାଗିଲେ। କ୍ରମେ ସେ ଅଧିକ କଠୋର ହୋଇ ଉଠିଲେ।
ତେବେ ଦିନକର କଥା। ସେ ଏମିତି ବ୍ୟସ୍ତ ହୋଇ ଆଶ୍ରମ ଯାକ ବୁଲୁଥିବା ବେଳେ ଜଣେ ଶିଷ୍ୟ ତାଙ୍କୁ ଦେଖି ହସି ପକାଇଲା। ବଡ଼ ରହସ୍ୟମୟ ଥିଲା େସ ହସ। ଶିଷ୍ୟ ଜଣକ ସେହି ହସର କାରଣ ଜାଣିବାକୁ ବ୍ୟଗ୍ର ହୋଇ ଉଠିଲେ।
ସେହି ରାତିରେ ସେ ସେହି ଶିଷ୍ୟଙ୍କ ନିକଟକୁ ଯାଇ ସେ ସେମିତି ହସିବାର କାରଣ ପଚାରିଲେ।
ହସିଥିବା ଶିଷ୍ୟ ଜଣକ କହିଲେ- ଆପଣ ଥିଲେ କ’ଣ ଓ କ୍ଷମତା ପାଇଗଲା ପରେ କ’ଣ ହୋଇଯାଇଛନ୍ତି, ତାହା ଭାବି ହସ ଲାଗିଲା।
ଏବେ ଦାୟିତ୍ବ ନେଇଥିବା ଶିଷ୍ୟ ସଚେତନ ହେଲେ। ସେ ଭାବିଲେ- ସତେ ତ ଗୁରୁ ଥିଲା ବେଳେ ଯାହା ଯେମିତି ଚାଲିଥିଲା ଏବେ ସେମିତି ଚାଲିଛି। ତେବେ ସେ ଏମିତି ବ୍ୟସ୍ତ ହୋଇ ଉଠୁଛନ୍ତି କାହିଁକି? କ୍ଷମତା ମୁଣ୍ଡକୁ ଉଠି ଯାଇଛି ନିଶ୍ଚେ।
କ୍ଷମତା ପାଇବା ପରେ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)