ଏକନାଥଙ୍କ କଥା

କଥାଟିଏ-ଯାଯାବର

ଜଣେ ନାସ୍ତିକ ବିଭିନ୍ନ ସାଧୁମାନଙ୍କୁ ପ୍ରଶ୍ନ ପଚାରି ପଚାରି ଏଭଳି ହଇରାଣ କରୁଥିଲେ ଯେ ଜଣେ ସାଧୁ ତାଙ୍କୁ କହିଲେ- ତୁମର ସବୁ ପ୍ରଶ୍ନର ଉତ୍ତର ଏକଲା ଏକନାଥ ହିଁ ଦେଇ ପାରିବ। କାରଣ ସେ ବି ତୁମ ଭଳି ନାସ୍ତିକ ଓ ଏଣୁତେଣୁ କଥା କହେ। ତେଣୁ ତାଙ୍କୁ ଯାଇ ପଚାର।
ସୁତରାଂ, ସେହି ବ୍ୟକ୍ତି ଏକନାଥଙ୍କ ଠିକଣା ନେଇ ତାଙ୍କ ଗାଁରେ ପହଞ୍ଚିଲେ ଏବଂ ଖୋଜି ଖୋଜି ତାଙ୍କୁ ଏକ ନିଛାଟିଆ ମନ୍ଦିରରେ ପାଇଲେ। ସେତେବେଳକୁ ଏକନାଥ ପ୍ରଭୁ ମହାଦେବଙ୍କ ପିଣ୍ଡି ଉପରେ ଗୋଡ଼ ଥୋଇ ନିଘୋଡ଼ ନିଦରେ ଶୋଇଥିଲେ। ନାସ୍ତିକ ଏହା ଦେଖି ତଟସ୍ଥ ହୋଇଗଲେ ଏବଂ ଭାବିଲେ ୟେ ତ ମୋ ଠାରୁ ବି ବଡ଼ ନାସ୍ତିକ! କାରଣ ମୁଁ ବି ଏମିତି କରିବାକୁ ସାହସ କରନ୍ତି ନାହିଁ।
ସେ ଏକନାଥଙ୍କୁ ନିଦରୁ ଉଠାଇ କହିଲେ- ମୋ ମନରେ କେତେକ ପ୍ରଶ୍ନ ଅଛି; ଯାହାର ଉତ୍ତର ପାଇବାକୁ ଆସିଥିଲି। ଏବେ ଦେଖୁଛି ଆପଣ ମୋ ଠାରୁ ବି ବଡ଼ ନାସ୍ତିକ। ତେଣୁ ଉତ୍ତର ଦେଇପାରିବେ। ତେବେ ପ୍ରଥମେ କହନ୍ତୁ ଶିବଙ୍କ ପିଣ୍ଡିରେ ଗୋଡ଼ ରଖି ଶୋଇବାକୁ ସାହସ କଲେ କେମିତି?
ଏଭଳି କଥାରେ ଉଚ୍ଚ ସ୍ବରରେ ହସି‌େଲ ଏକନାଥ ଓ କହିଲେ- ନିର୍ବୋଧଙ୍କ ଭଳି ହୁଅନା! ଆରେ ମୁଁ ଦେଖିଲି ଯେଉଁଠି ପାଦ ଥୋଇବି ସେଇଠି ଶିବ। ଏବେ କରିବି କ’ଣ? ତେଣୁ ଆଉ ସେହି ଗୋଳମାଳ ଭିତରେ ନ ପଶି ଯୁଆଡ଼େ ମନ ଗୋଡ଼ ଥୋଇ ଶୋଇଲି। ଏବେ ପୁଣି କୁହନା ‌େଯ ଏହି ପିଣ୍ଡିରେ କେବଳ ଶିବ ଅଛନ୍ତି, ଆଉ କେଉଁଠି ନାହାନ୍ତିି!
ନାସ୍ତିକ ଜଣକ କହିଲେ- ଶୁଣି କରି ଆସିଥିଲି ଯେ ଅାପଣ ଜଣେ ନାସ୍ତିକ। କିନ୍ତୁ ଦେଖୁଛି ଆପଣଙ୍କ ଭଳି ଆସ୍ତିକ ବିରଳ।
ସନ୍ଥ ଏକନାଥଙ୍କୁ ନେଇ ଅନେକ କଥା ଭିତରୁ ୟେ ଗୋଟିଏ।

ସମ୍ବନ୍ଧିତ ଖବର