ରାଜା ଜନକ ପରମ ସତ୍ୟ ଆବିଷ୍କାର କରିବା ଲାଗି ଏକ ବିଶେଷ ପଣ୍ଡିତ ସଭାର ଆୟୋଜନ କଲେ। ଏହି ସଭାକୁ ନିମନ୍ତ୍ରିତ ହୋଇ ଏକକୁ ଆରେକ ବଳି ପଣ୍ଡିତ ଗଣ ଆସିଲେ। ସେହି ସଭାରେ ମଧ୍ୟ ପହଞ୍ଚିଲେ ପରମ ଜ୍ଞାନୀ ଅଷ୍ଟବକ୍ର।
ଅଷ୍ଟ୍ରବକ୍ର ଅତ୍ୟନ୍ତ କୁରୂପ ଥିଲେ। ତାଙ୍କ ଶରୀରରେ ଥିବା ଆଠଟି ବକ୍ରତା ତାଙ୍କୁ ପରିହାସର ପାତ୍ର କରିଥିଲା। ସେ ଦିନ ସେ ଜନକଙ୍କ ସଭାରେ ପ୍ରବେଶ କରିବା ମାତ୍ରକେ ଉପସ୍ଥିତ ପଣ୍ଡିତମାନଙ୍କ ପରିହାସର ହସରେ ସଭାସ୍ଥଳ କଂପି ଉଠିଲା।
କିନ୍ତୁ ତା ଠାରୁ ଅଧିକ ଉଚ୍ଚ ସ୍ବରରେ ପରିହାସସୂଚକ ହସ ହସିଲେ ଅଷ୍ଟବକ୍ର। ରାଜା ଜନକ ଏଥିରେ ବିସ୍ମିତ ହୋଇ ପଚାରିଲେ- ଏହି ପଣ୍ଡିତମାନେ ଆପଣଙ୍କୁ ଦେଖି ହସିବାର କାରଣ ତ ବୁଝି ପାରିଲି। କିନ୍ତୁ ଆପଣ ହସିବାର କାରଣ ବୁଝି ପାରିଲି ନାହିଁ।
ଅଷ୍ଟବକ୍ର କହିଲେ- ମହାରାଜ, ଆପଣଙ୍କ ଏହି ସଭା ପଣ୍ଡିତମାନଙ୍କ ସମାବେଶ ନା ଅଧମମାନଙ୍କ ସଭା?
ରାଜା ଜନକ କିଛି ବୁଝି ପାରିଲେ ନାହିଁ।
ଅଷ୍ଟବକ୍ର କହିଲେ- ଯେଉଁମାନେ ମନୁଷ୍ୟର କୁରୂପ ଦେଖି ହସନ୍ତି ସେମାନେ ତ ଅଧମ ଶ୍ରେଣୀର। ପୁଣି ରାଜ୍ୟର ବିଚକ୍ଷଣତମ ପଣ୍ଡିତମାନେ ଶରୀର ଏବଂ ଚମଡ଼ାର ଅସୁନ୍ଦରତା ଦେଖି ହସିବା ଅର୍ଥ ସେମାନେ ମୂର୍ଖଙ୍କ ସହିତ ସମାନ। ଆପଣ ଏମାନଙ୍କ ଠାରୁ ପରମ ସତ୍ୟର ଜ୍ଞାନ ପାଇବାକୁ ଆଶା କରିଛନ୍ତି?
ରାଜା ଜନକଙ୍କ ଆଖି ଖୋଲିଗଲା। ସେ ଋଷି ଅଷ୍ଟବକ୍ରଙ୍କ ଶିଷ୍ୟତ୍ବ ଗ୍ରହଣ କଲେ ଯିଏ ତାଙ୍କୁ ପରମ ସତ୍ୟର ଉପଲବ୍‌ଧି ପ୍ରଦାନ କଲେ।