ନିଆଁ ଓ ଧୂଆଁ

କଥାଟିଏ-ଯାଯାବର

ଜଣେ ଗୁରୁ କଠୋର ସଂଯମ ରକ୍ଷା କରିବା ଲାଗି ଶି‌ଷ୍ୟମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ତେଣୁ ଶିଷ୍ୟମାନେ କଠିନ ଆତ୍ମ-ନିୟନ୍ତ୍ରଣର ପ୍ରୟାସରେ ରହିଥିଲେ। ଥରେ ଗୁରୁଙ୍କ ଆଶ୍ରମରେ ଆବିର୍ଭାବ ଘଟିଲା ଜଣେ ସାଧୁଙ୍କର। ସେ ସେଠାରେ ମାତ୍ର ଦୁଇ ଦିନ ରହିବା ଭିତରେ ସବୁ କଥା ବୁଝି ପାରିଲେ।
ସେ ଦିନେ ଗୁରୁଙ୍କୁ ଏକୁଟିଆ ପାଇ ପ୍ରଶ୍ନ କଲେ- ଧରନ୍ତୁ ଆପଣ ଦେଖିଲେ ଯେ ଆପଣଙ୍କ ଘରର ଚାଳ ବାଟେ ଧୂଆଁ ବାହାରୁଛି। ଆପଣ କ’ଣ କରିବେ?
ଗୁରୁ ଉତ୍ତର ଦେଲେ ଯେ ସେ ସାଙ୍ଗେ ସାଙ୍ଗେ ଘର ଭିତରକୁ ପଶି କେଉଁଠି ନିଆଁ ଲାଗିଛି ଦେଖିବେ ଏବଂ ତାକୁ ଲିଭାଇବାକୁ ଚେଷ୍ଟା କରିବେ।
ସାଧୁ ଏହା ଶୁଣି କହିଲେ- କିନ୍ତୁ ଆପଣଙ୍କ ଶିକ୍ଷାରୁ ଲାଗୁଛି ଯେ ଆପଣ ଚାଳ ଉପରେ ଅଧିକ ନଡ଼ା ପକାଇ ଧୂଆଁକୁ ବାହାରକୁ ଦେଖା ନ ଯିବାର ବନ୍ଦୋବସ୍ତ କରିବେ!
ଗୁରୁ ଏହା ଶୁଣି ବିସ୍ମିତ ହେଲେ ଓ ସାଧୁଙ୍କ ଏଭଳି ଧାରଣାର କାରଣ କ’ଣ ବୋଲି ପଚାରିଲେ।
ସାଧୁ କହିଲେ- ଶରୀର ଭିତରେ ବିଭିନ୍ନ ପ୍ରକାର ନିଆଁ ଆମ ବ୍ୟବହାର ଜରିଆରେ ଧୂଆଁ ଭଳି ବାହାରେ ପ୍ରକଟିତ ହୁଏ। ଉଦାହରଣ ସ୍ବରୂପ କ୍ରୋଧର ନିଆଁ। ଆପଣଙ୍କ ଶିକ୍ଷା କହୁଛି ଯେ କ୍ରୋଧ ଆସିଲେ ବି ଗାଳି କରିବ ନାହିଁ। ବାକ୍‌ ସଂଯମ ଅବଲମ୍ବନ କରିବ। ଏହା ଧୂଆଁକୁ ଚାପିଲା ଭଳି କଥା। ବରଂ ଆପଣ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ ସେମାନେ ମନରେ କ୍ରୋଧାଗ୍ନିକୁ ଲିଭାଇବେ ଓ ଆଉ ଜଳିବାକୁ ନ ଦେବାର ଚେଷ୍ଟା କରିବେ। ତାହା ହେଲେ ବାହାରୁ କରାଯାଉଥିବା ନିୟନ୍ତ୍ରଣର ଚେଷ୍ଟା ଆଉ ଦରକାର ହେବ ନାହିଁ।

ସମ୍ବନ୍ଧିତ ଖବର