ସନ୍ଥ ଫିରୋଜଙ୍କୁ ଜଣେ ରାଜା କହିଲେ ଯେ ସେ ଅନେକ ଧର୍ମଶାଳା, ଚିକିତ୍ସାଳୟ ଆଦି ନିର୍ମାଣ କରିଛନ୍ତି। ଅନେକ ଲୋକଙ୍କୁ ଦାନ ଦେଇଛନ୍ତି। ତାଙ୍କ ଉପରେ ରାଜ୍ୟବାସୀ ଭାରି ଖୁସି। କିନ୍ତୁ ତାଙ୍କର ଲକ୍ଷ୍ୟ ମୃତ୍ୟୁ ପରେ ଈଶ୍ବରଙ୍କ ପାଖରେ ଅର୍ଥାତ୍ ସ୍ବର୍ଗରେ ରହିବା। ତାହା ସମ୍ଭବ ହେବ ତ?
ଫିରୋଜ କହିଲେ- ଏ ନେଇ ଘୋର ସନ୍ଦେହ ହେଉଛି।
ରାଜା ଚମକି ପଡ଼ି କହିଲେ- ଏତେ ପୁଣ୍ୟ କଲା ପରେ ବି ସନ୍ଦେହ? କାହିଁକି?
ଫିରୋଜ କହିଲେ- ଆପଣ ଯେଉଁ ପବନରୁ ପ୍ରଶ୍ବାସ ନେଇ ବଞ୍ଚିଛନ୍ତି, ଯେଉଁ ଖାଦ୍ୟ ଖାଇ, ଯେଉଁ ପାଣି ପିଇ ଜୀବନ ଧାରଣ କରିଛନ୍ତି ତାହା କାହାର ଦାନ? ଈଶ୍ବରଙ୍କର। କିନ୍ତୁ ଦେଖିଛନ୍ତି କି ଈଶ୍ବର ଏ ସବୁ ଦେଇଛନ୍ତି ବୋଲି କହି ବୁଲୁଛନ୍ତି? ତେଣୁ ପ୍ରକୃତରେ ଈଶ୍ବର ଆପଣଙ୍କ ଭଳି ଆତ୍ମ ପ୍ରଚାରକମାନଙ୍କୁ ଭଲ ପାଆନ୍ତି ନାହିଁ। ତେଣୁ ଆପଣଙ୍କୁ ସ୍ବର୍ଗରେ ଜାଗା ଦେଇ ନ ପାରନ୍ତି। ପୁଣି ଆପଣ ଏବେ ଭାବୁଥିବେ ସ୍ବର୍ଗରେ ଜାଗା ନ ମିଳିଲେ ଏତେ ଦାନଧର୍ମର ଲାଭ କଅଣ? ତେଣୁ ଆପଣଙ୍କ ଦାନ କରିବା ବା ଭଲ କାମ କରିବା ପଛରେ ଲାଭ-କ୍ଷତିର ବିଚାର ଅଛି। ଏଭଳି କରି ଆପଣ ମଣିଷଙ୍କ ଭିତରେ ପ୍ରିୟ ଓ ସମ୍ମାନର ଅଧିକାରୀ ହୋଇ ପାରନ୍ତି, ଈଶ୍ବରଙ୍କ ପାଖରେ ନୁହେଁ।
ରାଜା ପଚାରିଲେ- ତାହା ହେଲେ ମୋତେ କ’ଣ କରିବାକୁ ହେବ?
ଫିରୋଜ କହିଲେ- ଦାନ କରି କେବଳ ଆନନ୍ଦ ଲାଭ କରନ୍ତୁ, ଲାଭ-କ୍ଷତିର ବିଚାର ରଖନ୍ତୁ ନାହିଁ। ଏମିତି ନେଇ ଚାଲନ୍ତୁ ଯେମିତି ନଦୀ ପାଣି ଦେଇଥାଏ; ତାହା ଆପଣଙ୍କ ପ୍ରକୃତିଗତ ହୋଇଯାଉ। ତାହା ହେଲେ ଏଇ ମର୍ତ୍ତ୍ୟରେ ରହି ବି ସ୍ବର୍ଗ ପାଇଯିବେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର