ଚୀନରେ ଜଣେ ଦାର୍ଶନିକ ଥିଲେ ଚୁଆଙ୍ଗ ତେସେ। ମସ୍ତ ମୌଲା ଭାବେ ସେ ପରିଚିତ ଥିଲେ ଏବଂ ସର୍ବଦା ତାଙ୍କ ମୁହଁରେ ହସ ଝୁଲି ରହୁଥିଲା। ଲୋକେ ବିଭିନ୍ନ ସମସ୍ୟା ନେଇ ତାଙ୍କ ନିକଟକୁ ଗଲେ ତାଙ୍କର ପ୍ରଜ୍ଞାଦୀପ୍ତ ଅନ୍ତର୍ଦୃଷ୍ଟିରୁ ସମାଧାନର ବାଟ ବାହାରୁ ଥିଲା।
ଦିନେ ସମସ୍ତେ ଦେଖିଲେ ଯେ ଚୁଆଙ୍ଗ ତେସେ ଚିନ୍ତା ମଗ୍ନ। ତାଙ୍କ ମୁହଁରୁ ହସ ଳିଭି ଯାଇଛି। ଲୋକେ ତାଙ୍କୁ ପଚାରିଲେ- କ’ଣ ହୋଇଛି? ଆପଣ ଏମିତି ଗମ୍ଭୀର ଓ ବିରସ ଦିଶୁଛନ୍ତି କାହିଁକି?
ଚାଙ୍ଗ ତେସେ କହିଲେ- ଗୋଟିଏ ପ୍ରଶ୍ନର ଉତ୍ତର ପାଉନାହିଁ।
ଲୋକେ କହିଲେ- ଆମ ସବୁ ପ୍ରଶ୍ନର ଉତ୍ତର ଆପଣ ଦିଅନ୍ତି, ଅଥଚ ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ଆପଣଙ୍କ ପାଖରେ ନାହିଁ?
ଚୁଆଙ୍ଗ ତେସେ କହିଲେ- ତେବେ ଶୁଣ। କାଲି ମୁଁ ସ୍ବପ୍ନ ଦେଖିଲି ଯେ ମୁଁ ଗୋଟିଏ ପ୍ରଜାପତି ହୋଇ ଗୋଟିଏ ବଗିଚାରେ ଉଡ଼ି ବୁଲୁଛି।
ଲୋକେ କହିଲେ- ଏଥିରେ ସମସ୍ୟା କ’ଣ? ସ୍ବପ୍ନରେ ଜଣେ ସବୁ କିଛି ହୋଇ ଯାଇପାରେ। ତାହା ତ ସ୍ବପ୍ନ, ସତ ନୁହେଁ!
ଚୁଆଙ୍ଗ ତେସେ କହିଲେ- ମୋ ପାଇଁ ସେଇଟା ତ ଏକ ପ୍ରଶ୍ନ। ମୁଁ ଯେମିତି ସ୍ବପ୍ନରେ ନିଜକୁ ପ୍ରଜାପତି ଭାବେ ଦେଖିଲି, ସେମିତି ହୁଏତ କୋଉ ପ୍ରଜାପତି ଶୋଇ ସ୍ବପ୍ନ ଦେଖୁଥିବ େଯ ସେ ହେଉଛି ଚୁଆଙ୍ଗ ତେସେ ଏବଂ ତୁମେ ଯାହାକୁ ବାସ୍ତବ ଦୁନିଆ ବୋଲି ଭାବୁଛ, ତାହା ହୁଏତ ହୋଇପାରେ ପ୍ରଜାପତିର ସ୍ବପ୍ନର ଦୁନିଆ, ମୋ ସ୍ବପ୍ନର ବଗିଚା ଭଳି। ହୁଏତ ପ୍ରଜାପତିର ନିଦ ଭାଙ୍ଗିଲା ମାତ୍ରକେ ଏ ଦୁନିଆ ସରିଯିବ!
ଲୋକେ ଏହା ଶୁଣି ନିରବରେ ଫେରିଗଲେ। ଚୁଆଙ୍ଗ ତେସେ ସେମିତି ଚିନ୍ତାରେ ବୁଡ଼ି ରହିଲେ।
ସ୍ବପ୍ନ ଓ ସତ!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)