ଜଣେ ଯୁବକର ବାଗ୍ଦତ୍ତା କହିଲା- ମୋ ଲାଗି ନୀଳ ପଳାଶ ଆଣିପାରିବ?
‘ୟେ ଗୋଟାଏ କଥା?’ ବୋଲି କହି ଯୁବକ ଡିଆଁ ମାରି ଚାଲିଗଲା। ନୀଳ ପଳାଶ ଥିଲା ଅତ୍ୟନ୍ତ ଦୁର୍ଲଭ। ତାହା ରାଜାଙ୍କ ଉଆସ ବଗିଚାରେ ଫୁଟୁଥିଲା। ତା’ ଲାଗି ସ୍ବତନ୍ତ୍ର ପହରାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ତେଣୁ ଭିତରକୁ ପଶି ଫୁଲ ଚୋରି କରିବାର ସାହସ ଯୁବକଟି ଜୁଟାଇ ପାରିଲା ନାହିଁ। ସେ ଯାଇ ଜଗୁଆଳି ପାଖରେ ପହଞ୍ଚି ସବୁ କଥା କହି ଅତି ବିନମ୍ରତାର ସହିତ ଫୁଲଟିଏ ମାଗିଲା। ଜଗୁଆଳି ଯୁବକକୁ ଠେଙ୍ଗାଟି ଦେଖାଇ ସେଠାରୁ ତଡ଼ିଦେଲା।
ହତାଶ ଯୁବକ ଅନେକ ଚିନ୍ତା କଲା ପରେ ଭାବିଲା- ତାହା ହେଲେ ଆଙ୍ଗୁଠି ବଙ୍କା କରି ଘିଅ କାଢ଼ିବାକୁ ହେବ। ସେ ଜଗୁଆଳି ହାତରେ ପାଞ୍ଚଟି ସୁବର୍ଣ୍ଣ ମୁଦ୍ରା ଗୁଞ୍ଜି ଦେଲା। ଗଛରେ ନୀଳ ପଳାଶର ସମ୍ଭାର। ଗୋଟିଏ ମାତ୍ର ଫୁଲ ତୋଳି ନେଲେ ଜଣା ପଡ଼ିବାର ସମ୍ଭାବନା ନାହିଁ। ସୁତରାଂ, ଅର୍ଥ ପୂର୍ଣ୍ଣ ହସ ହସି ସେ ଅତି ସନ୍ତର୍ପଣରେ ଯୁବକକୁ ଫୁଲଟିଏ ଆଣି ଦେଇଦେଲା।
ଯୁବକ ଫୁଲଟି ପାଇ ଛାତିି ଫୁଲେଇ ବାଗ୍ଦତ୍ତାକୁ ଦିଅନ୍ତେ ସେ ବିସ୍ମିତ ହୋଇ ପଚାରିଲା- ଆଶ୍ଚର୍ଯ୍ୟ! ତୁମେ ଏହାକୁ ପାଇଲ କେମିତି?
ଯୁବକ ସବୁ କଥା କହିଗଲା। ଶେଷରେ ଟିପ୍ପଣି ଦେଲା- ଯେଉଁଠି ଜଗୁଆଳି ନୀତିହୀନ, ସେଠି ଅସମ୍ଭବ କ’ଣ?
ଏହା ଶୁଣି କନ୍ୟାଟି କହିଲା- ତୁମେ ବି ତ ନୀତିହୀନ! ତୁମେ କାମ ହାସଲ କରିବା ପାଇଁ ଅବାଟରେ ଗଲ! ତେଣୁ ଜଗୁଆଳିକୁ ଆଙ୍ଗୁଳି ଦେଖାଉଛ କାହିଁକି? ତୁମେ ମୋତେ ଯଦି କହିଥାଆନ୍ତ, ଫୁଲ ପାଇଲି ନାହିଁ ଏବଂ ତାହା ପାଇବାକୁ ଅବାଟରେ ଯିବାକୁ ପଡ଼ିବ, ତେଣୁ ଗଲି ନାହିଁ, ତେବେ ମୋତେ ଭଲ ଲାଗିଥାଆନ୍ତା!
ଯୁବକ ଓ ବାଗ୍ଦତ୍ତା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)