ଜଣେ ସାଧୁ ଗୋଟିଏ ସହର ଦେଇ ଯାଉଥିବା ବେଳେ ଅଚାନକ ଗୋଟିଏ ହାତୀ ଆସି ତାଙ୍କ ମୁଣ୍ତ ଉପରେ ସୁନା କଳସରୁ ପାଣି ଢାଳିଦେଲା। ସାଧୁ ଜଣକ କିଛି ବୁଝିବା ଆଗରୁ ତାଙ୍କୁ ଲୋକେ କୋଳାହଳ କରି ମୁଣ୍ତରେ ବସାଇ ନାଚିବାକୁ ଲାଗିଥିଲେ। ଦୈବାତ୍ ସାଧୁ ହୋଇଗଲେ ସେ ରାଜ୍ୟର ନୂଆ ରାଜା।
ତାଙ୍କର ଅଭିଷେକ ହେଲା। ତାଙ୍କ ଖାଦ୍ୟପେୟ ଓ ଶୟନ ଲାଗି ଯେଉଁ ବ୍ୟବସ୍ଥାମାନ ହେଲା, ସେ ସବୁ କଥା ସାଧୁ କେବେ କଳ୍ପନାରେ ବି ଭାବି ନ ଥିଲେ। ସେ ଖାଇ ପିଇ ମୁଲାୟମ ଗଦିରେ ଅଧା ଶୋଇ ନର୍ତ୍ତକୀମାନଙ୍କ ନାଚ ଦେଖି ଦିନ କାଟିଲେ।
ଏ କଥା ଜାଣିଲେ ସାଧୁଙ୍କ ଶିଷ୍ୟମାନେ। ସେମାନେ ଆସି ଦେଖନ୍ତି ଯେ ସେମାନଙ୍କ ଗୁରୁ ମଉଜରେ ଅଛନ୍ତି। ସେମାନେ ଏହା ଦେଖି ବ୍ୟଥିତ ହେଲେ। ଏଭଳି ଗୁରୁଙ୍କ ପାଖରେ ଶିଷ୍ୟ ହୋଇଥିବାରୁ ନିଜକୁ ଧିକ୍କାର କଲେ। କିନ୍ତୁ ଜଣେ ଶିଷ୍ୟ କହିଲେ- ଆମ ଗୁରୁ ଟିକିଏ ବି ବଦଳି ନାହାନ୍ତି। ତୁମେମାନେ ତା’ର ପ୍ରମାଣ ବି ପାଇବ। ମୁଁ ଗୁରୁଙ୍କୁ ଭଲ ଭାବେ ଜାଣେ। େଗାଟିଏ ବର୍ଷ ଅପେକ୍ଷା କର। ଏହି ରାଜ୍ୟର ପ୍ରଥାନୁଯାୟୀ ରାଜପଦ ମାତ୍ର ବର୍ଷଟିଏ ପାଇଁ।
ପ୍ରଥାନୁଯାୟୀ ସାଧୁଙ୍କୁ କିନ୍ତୁ ଏ କଥା କୁହାଯାଇ ନ ଥିଲା। ଦିନେ ହଠାତ୍ ସାଧୁଙ୍କୁ ଜଣାଇ ଦିଆଗଲା ଯେ ତାଙ୍କ ରାଜପଦର ସମୟ କାଳ ସରିଗଲା। ସାଧୁ ସେତିକି ବେଳେ ସୁନ୍ଦରୀ ନର୍ତ୍ତକୀମାନଙ୍କ ନାଚ ଦେଖୁଥିଲେ। କିନ୍ତୁ ଏହା ଶୁଣି ସେ ତତ୍କ୍ଷଣାତ୍ ଉଠି ବସିଲେ ଏବ˚ ନିଜ ଶେଯ ତଳେ ରଖିଥିବା ତାଙ୍କ ପୁରୁଣା କୌପୁନି ପିନ୍ଧି ହସହସ ମୁହଁରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ବାହାରି ଚାଲିଗଲେ। ସତେ ଯେମିତି ସେ କେବେ ହେଲେ ରାଜା ହୋଇ ନାହାନ୍ତି।
ବର୍ଷଟିଏ ପରେ ସାଧୁ ଆଶ୍ରମକୁ ଫେରିଲେ। ଶିଷ୍ୟମାନେ ଏବେ ଜାଣିଲେ ପ୍ରକୃତ ବୈରାଗ୍ୟ କାହାକୁ କୁହାଯାଏ।
ପ୍ରକୃତ ବୈରାଗ୍ୟ
କଥାଟିଏ-ଯାଯାବର