ଜଣେ ବାଳକର ଇଚ୍ଛା ଥିଲା କବି ହେବ। ଦିନେ ଜଣେ ସାଧୁ ସେ ରହୁଥିବା ଗାଁକୁ ଆସିଲେ। ପିଲାଟି ତାଙ୍କୁ ଦେଖା କରି ତା’ର ସ୍ବପ୍ନ କଥା କହିଲା। ସାଧୁ କହିଲେ- ଏମିତି କଥା? ମୋ ପାଖରେ ଅଛି ଗୋଟିଏ ଅଲୌକିକ କଲମ। ମୁଁ ତୁମକୁ ତାହା ଦେବି। ଦେଖିବ ସେଇ କଲମ ଧରିବା ମାତ୍ରକେ ଚମତ୍କାର କବିତା ଲେଖିବାରେ ତୁମେ ସଫଳ ହେବ।
ବାଳକଟି ସେଇ କଲମଟିକୁ ଧରି ଘରକୁ ଫେରିଲା। ତା’ ପରେ ଦେଖାଗଲା ଯେ କଲମଟିକୁ ହାତରେ ଧରିବା ମାତ୍ରକେ ମାଆ ସରସ୍ବତୀ ଯେମିତି ତା’ କଣ୍ଠରେ ବସି ଯାଉଥିଲେ। ସେ ସୁନ୍ଦର କବିତା ଲେଖି ପାରୁଥିଲା।
କିନ୍ତୁ ଦିନେ କଲମଟି ହଜିଗଲା। ସେ ବୁଝି ପାରିଲା ଯେ ତାହା ଚୋରି ହୋଇଯାଇଛି। ସେ ଦୁଃଖରେ ଭାଙ୍ଗି ପଡ଼ିଲା। ତା’ ପରେ ସେ ଆଉ କବିତା ଲେଖିପାରିଲା ନାହିଁ।
କିଛି ମାସ ପରେ ସେଇ ବାଟେ ସେଇ ସାଧୁ ଫେରିଲେ। ପିଲାଟି ତାଙ୍କୁ ଭେଟି ଅତି ଦୁଃଖରେ ସେଇ କଥା କହିଲା। ସାଧୁ ତାକୁ କହିଲେ- ତୁ ବ୍ୟସ୍ତ ହୁଅନା। ସେ କଲମଟି ଏମିତି ଥିଲା ଯେ କିଛି ଦିନ ବ୍ୟବହାର କଲା ପରେ ସେଇ ଅଲୌକିକ ଶକ୍ତି ବ୍ୟବହାରକାରୀର ହାତକୁ ଚାଲିଯାଇଥିବା କଥା। ତେଣୁ ସେଇ ଚମତ୍କାରୀ ଶକ୍ତି ଏବେ ତୋ ଭିତରେ ହିଁ ଥିବ। ସେ କଥା କଅଣ ତୁ ଜାଣିପାରୁ ନାହୁଁ?
ପିଲାଟି ଏହା ଶୁଣି ବିସ୍ମିତ ହୋଇଗଲା। ଘରକୁ ଫେରିବା ପରେ ଗୋଟିଏ ସାଧାରଣ କଲମ ଧରି ସେ କବିତା ଲେଖି ବସିଲା ଓ ପୂର୍ବ ଭଳି ସାବଲୀଳ ଭାବେ କବିତା ଲେଖି ପାରିଲା।
ପ୍ରକୃତ କଥା ହେଲା, ସାଧୁ ତାକୁ କୌଣସି ଅଲୌକିକ କଲମ ଦେଇ ନ ଥିଲେ। କେବଳ ସାଧୁଙ୍କ କଥା ଉପରେ ପିଲାଟିର ଅଟଳ ବିଶ୍ବାସ ତା’ ଭିତରେ ଅଲୌକିକ ସର୍ଜନା ଶକ୍ତିର ଜାଗରଣ ସମ୍ଭବ କରାଇ ପାରିଥିଲା।