ପର୍ସିଆର ରାଜା ରାଜ୍ୟ ଜୟ ଅଭିଯାନରେ ବାହାରିଲେ। କିଛି ମାସ ପରେ ଫେରିଆସି ସେ ସୁଫି ସନ୍ଥ ଫିରୋଜଙ୍କୁ ଭେଟିବାକୁ ଗଲେ।
ଫିରୋଜଙ୍କୁ ଅଭିବାଦନ କରି ରାଜା ତାଙ୍କ ଯୁଦ୍ଧ ଯାତ୍ରାର ଅନୁଭୂତି କଥା ବତାଇଲେ। ସେ କହିଲେ- ଫିରୋଜ, ମୁଁ ଏଥର ଗୋଟିଏ ବିଚିତ୍ର କଥା ଅଙ୍ଗେ ନିଭେଇଲି। ତିନିଟି ରାଜ୍ୟ ବିରୋଧରେ ମୁଁ ଯୁଦ୍ଧ କଲି ଏବ˚ ବିଜୟ ଲାଭ କଲି। ଆପଣ ତ ଜାଣିଛନ୍ତି ମୁଁ ଯେଉଁ ରାଜ୍ୟ ଜୟ କରେ ସେ ରାଜ୍ୟର ଜ୍ଞାନୀ ଗୁଣୀ ଲୋକଙ୍କୁ ଆଣି ନିଜ ପାଖରେ ରଖେ। କିନ୍ତୁ ଏଥର ମୋ ଅନୁଭୂତିଟି ଟିକିଏ ଅଲଗା ପ୍ରକାର ହେଲା। ଗୋଟିଏ ରାଜ୍ୟକୁ ଜୟ କରିବା ପରେ ମୁଁ ଶୁଣିବାକୁ ପାଇଲି ଯେ ସେ ରାଜାଙ୍କ ପରିଷଦରେ ଅଛନ୍ତି ଜଣେ ଆଶୁ କବି ଓ ବିଦୂଷକ। ତାଙ୍କୁ ମୁଁ ନିଜ ରାଜପରିଷଦରେ ସ୍ଥାନ ଦେବାକୁ ମନସ୍ଥ କରି ସାଙ୍ଗରେ ଆଣିଲି। କିନ୍ତୁ ଯେତେବେଳେ ତାଙ୍କୁ ମୋ ପ୍ରଶ˚ସାରେ କବିତା ଭଣିବାକୁ କହେ, ସେ ମନା କଲେ। ମୁଁ ବିସ୍ମିତ ହୋଇଗଲି। ମୁଁ ତାଙ୍କୁ ବୁଝାଇଲି।
କିନ୍ତୁ ସେ କହିଲେ- ମୁଁ ଯେଉଁ ରାଜାଙ୍କ ପ୍ରଶ˚ସାରେ ଗୀତ ଭଣୁଥିଲି, ସେ ତ ଏବେ ବନ୍ଦୀ। ତାଙ୍କ ଲାଗି ଗୀତ ଭଣି ଭଣି ମୋର ଅଧା ବୟସ ଚାଲିଗଲା। ଏବେ ପର୍ସିଆ ସମ୍ରାଟଙ୍କ ଲାଗି ଗୀତ ଭଣିପାରିବି ନାହିଁ। ମୁଁ ଏଭଳି କଥା ଶୁଣି ତାକୁ ବନ୍ଦୀଶାଳାକୁ ପଠାଇଦେଲି ଓ କହିଲି- ଯାଆ ତୋ ରାଜା ସହିତ ରହି ଶଢ଼।
ଫିରୋଜ ବସିବା ସ୍ଥାନରୁ ଉଠି ପଡ଼ିଲେ ଏବ˚ କହିଲେ- ନିର୍ବୋଧ, ତୁମେ ଯେତେ ଗୁଣୀ ଲୋକଙ୍କୁ ଆଣି ତୁମ ପରିଷଦରେ ରଖିଛ, ସବୁଠାରୁ ଅଧିକ ଗୁଣୀ ସେଇ କବି। ତୁରନ୍ତ ତାକୁ ଓ ତା’ ରାଜାଙ୍କୁ ମୁକ୍ତ କରି ତାଙ୍କ ରାଜ୍ୟ ଫେରାଇ ଦିଅ। ଯେଉଁଠି ବିଦୂଷକ ତା’ ରାଜାକୁ ବଦଳାଏ ନାହିଁ, ସେ ରାଜ୍ୟର ସଂସ୍କାର ମହାନ, ସେ ରାଜା ଓ ବିଦୂଷକ ବି ମହାନ।