ତୁମେ ଏବେ ଜାଗ୍ରତ

କଥାଟିଏ-ଯାଯାବର

ଥରେ ଜଣେ ବ୍ୟକ୍ତି ଜେନ୍‌ ଗୁରୁ ନେନେଙ୍କ ନାମରେ ମିଛ ଅପବାଦ ରଟନା କଲା। ଏ ବାବଦରେ ଖବର ନେନେଙ୍କ ପାଖରେ ପହଞ୍ଚିଲା। କିନ୍ତୁ ନେନେ ଥିଲେ ସର୍ବଦା ନିର୍ବିକାର।
ତେବେ ନେନେଙ୍କୁ ସ୍ଥାନୀୟ ଲୋକେ ବହୁତ ଭଲ ପାଉଥିଲେ। ତେଣୁ ଏଭଳି ଅପବାଦ ରଟନାକୁ ଲୋକେ ସହି ପାରିଲେ ନାହିଁ। ସବୁ ଆଡୁ ଆକଟ ଶୁଣି ଶେଷ‌େର ଦିନେ ସେ ନିଜ ଭୁଲ୍‌ ଲାଗି ଅନୁତପ୍ତ ହେଲା ଓ ନେନେଙ୍କ ପାଖକୁ କ୍ଷମା ମାଗିବାକୁ ଆସିଲା।
ସେ ନିଜ ଭୁଲ୍‌ ଲାଗି ନେନେଙ୍କୁ କ୍ଷମା ମାଗିଲା। ନେନେ ପଚାରିଲେ- କି କଥା? କ୍ଷମା କେଉଁଥି ଲାଗି?
ତା ପରେ ନେନେ ତାକୁ ପାଖରେ ବସାଇ କହିଲେ- ଜଣେ ଜଣକୁ କ୍ଷମା ଦେବାର ମୂଳରେ କ’ଣ ଥାଏ ବୁଝିଛ ତ? ମୁଁ ତୁମକୁ କ୍ଷମା କଲି ବୋଲି ବିଚାର କରିବାର ଅର୍ଥ ଯେ ମୁଁ ମନ ଭିତରେ ସ୍ଥିର କରି ସାରିଛି ଯେ ତୁମେ ମୋ ପାଖରେ ଦୋଷୀ। ତେଣୁ ତୁମକୁ ମୁଁ କ୍ଷମା କରି ତୁମ ଦୋଷ ମାର୍ଜନା କଲି। ତାର ଅର୍ଥ ମୁଁ କେତେ ମହାନ?
କିନ୍ତୁ ସତ କହି‌େଲ ତୁମେ ଯାହା, ତୁମେ ତାହା। ତୁମେ ଯାହା କରିଛ, ତାହା ହିଁ ତୁମେ କରିବାକୁ ସବୁଠାରୁ ଅଧିକ ସମର୍ଥ। ମୁଁ ତୁମକୁ ତୁମ ଭଳି ହିଁ ସ୍ବୀକାର କରେ। ଆମେ ସମସ୍ତେ ଦୋଷ ଗୁଣରେ ଭରା। ତୁମେ ଯଦି ତୁମ କାମକୁ ଭୁଲ୍‌ ବୋଲି ଭାବି କ୍ଷମା ପ୍ରାର୍ଥନା କରୁଛ, ମୋର ବି ସେମିତି କେତେ ଭୁଲ୍‌ ହେଉଥିବ! ତେଣୁ ଆମ ଭିତରେ ସବୁଠାରୁ ବଡ଼ ବିଡ଼ମ୍ବନାଟି କ’ଣ ଜାଣିଛ? ତାହା ହେଲା ଜଣେ ମଣିଷ ଆଉ ଜଣେ ମଣିଷର ବିଚାର କରିବା, ସେ ‌ଦୋଷୀ କି ନିର୍ଦ୍ଦୋଷ ସ୍ଥିର କରିବା, ସ୍ଥଳ ବିଶେଷରେ ଜଣେ ଅନ୍ୟ ଜଣକୁ ଦଣ୍ଡ ବା କ୍ଷମା ଦେବା। ବଡ଼ କଥା ତୁମେ ଭୁଲ୍‌ କରିଛ ବୋଲି ବୁଝି ପାରିଛ ବୋଲି କହୁଛ। ତେଣୁ ତୁମେ ଏବେ ଜାଗ୍ରତ। ଅର୍ଥାତ୍‌ ତୁମେ ଆଉ ଏହାର ପୁନରାବୃତ୍ତି କରିବ ନାହିଁ।

ସମ୍ବନ୍ଧିତ ଖବର