ପିକାସୋଙ୍କ ଉତ୍ତର

କଥାଟିଏ-ଯାଯାବର

ମନୁଷ୍ୟ ବଞ୍ଚିବା ଲାଗି ଯେଉଁ ତିନିଟି ମୌଳିକ ଆବଶ୍ୟକତା ପୂରଣର ଇଚ୍ଛା ପୋଷଣ କରିଥାଏ, ତାହା ହେଲା ଖାଦ୍ୟ, ବସ୍ତ୍ର ଓ ଆବାସ। ମନୁଷ୍ୟ ବଞ୍ଚି ରହିବା ଲାଗି ଏତିକି ଯଥେଷ୍ଟ; କିନ୍ତୁ ଏତିକି କ’ଣ ପର୍ଯ୍ୟାପ୍ତ? ନା। ସେଥି ଲାଗି ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ମଣିଷ କେବଳ ରୁଟିରେ ବଞ୍ଚେ ନାହିଁ। ଯୀଶୁଙ୍କ କଥାର ଅର୍ଥ ହେଲା ବଞ୍ଚି ରହିବା ଲାଗି ମଣିଷକୁ ଆହୁରି କିଛି ଲୋଡ଼ା! ତେବେ ‌ତାହା କ’ଣ?
ତାହା ହେଉଛି ସଂଗୀତ, ନୃତ୍ୟ, କଳା, ସୌନ୍ଦର୍ଯ୍ୟ, ଲାଳିତ୍ୟ ଇତ୍ୟାଦି ଇତ୍ୟାଦି। କିନ୍ତୁ ସତ କହିଲେ, ଜୀବନରେ ଏ ସବୁର ଉପଯୋଗିତା କିଛି ନାହିଁ। ବିନା ନୃତ୍ୟ ବା ସଂଗୀତରେ ଜଣେ ଜୀବନ ସାରା ବଞ୍ଚି ରହିପାରିବ; କିନ୍ତୁ ତାହା ଜୀବନ ପଦବାଚ୍ୟ ହେବ ନାହିଁ। କିନ୍ତୁ ଅସଂଖ୍ୟ ମଣିଷ ଉପ‌େଯାଗିତାକୁ ସବୁଠାରୁ ଅଧିକ ଗୁରୁତ୍ବ ପ୍ରଦାନ କରୁଥିବାରୁ ନୃତ୍ୟ ବା ସଂଗୀତ ବା କଳା ଆଦିକୁ ହତାଦର ବା ଉପେକ୍ଷା କରନ୍ତି।
ଥରେ ଜଣେ ବ୍ୟକ୍ତି ବିଖ୍ୟାତ ଚିତ୍ରକର ପାବ୍‌ଲୋ ପିକାସୋଙ୍କୁ ପଚାରିଲେ- ତୁମେ କାହିଁକି ଚିତ୍ରମାନ କର? ଆମ ଜୀବନରେ ସେ ସବୁର ଆବଶ୍ୟକତା କ’ଣ?
ପିକାସୋ କହିଲେ- ତୁମେ ମୋତେ କାହିଁକି ଏ ପ୍ରଶ୍ନ ପଚାରୁଛ? କାହିଁ କେବେ ତ ଈଶ୍ବରଙ୍କୁ ପଚାରି ନାହଁ ଯେ ସେ କାହିଁକି ଏତେ ସୁନ୍ଦର ଫଳମାନ ତିଆରି କଲେ, କେବେ ତ ପଚାରି ନାହଁ ଯେ ରାତିର ନି‌େର୍ମଘ ଆକାଶରେ ଚନ୍ଦ୍ରରୁ ଝରୁଥିବା ରଜତ ଶୁଭ୍ର ଜ୍ୟୋତ୍ସ୍ନାର ଆବଶ୍ୟକତା କ’ଣ? ରାତିରେ ନୌକା ବିହାର କଲା ବେଳେ ଅଧା ଶୁଆ ଅବସ୍ଥାରେ ଆକାଶର ତାରାମାନଙ୍କୁ ଦେଖି ବିମୋହିତ ହେଲା ବେଳେ ତ ପ୍ରଶ୍ନ କରିନାହଁ ଯେ ଏମାନେ କାହିଁକି ଝଲସୁଛନ୍ତି? ମୋତେ କାହିଁକି ପଚାରୁଛ?

ସମ୍ବନ୍ଧିତ ଖବର