ଆଜି କାଲି ଆମମାନଙ୍କ ସ୍ବାସ୍ଥ୍ୟ କାହିଁକି ଭଲ ରହୁନାହିଁ ବୋଲି ଜଣେ ଭଦ୍ରଲୋକ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ମହାଶୟ ମୁଲ୍ଲା ନସିରୁଦ୍ଦିନଙ୍କ ଏହି ଗପଟି କହିଲେ।
ମୁଳ୍ଲା ନସିରୁଦ୍ଦିନ ଗୋଟିଏ ଖଚର କିଣିଲେ। ତା ଉପରେ ସୁନ୍ଦର ଗଦି ବାଲା ହାଉଦା ପକାଇଲେ। କିନ୍ତୁ ତା’ ଉପରେ କଦାପି ବସିଲେ ନାହିଁ। ସର୍ବଦା ଖଚରକୁ ଧରି ଚାଲି ଚାଲି ବୁଲିଲେ।
ଏହା ଦେଖି ସମସ୍ତେ ଆଲୋଚନା କଲେ ଯେ ମୁଲ୍ଲାଙ୍କ ମୁଣ୍ଡ ବିଗିଡ଼ି ଯାଇଛି। ତା ନ ହେଲେ ଖଚର କିଣିଥିବା ସତ୍ତ୍ବେ ତା ଉପରେ ବସନ୍ତେ ନାହିଁ?
ଏ କଥା ଦିନେ ଜଣେ ମୁଲ୍ଲାଙ୍କୁ ପଚାରିଲା।
ମୁଲ୍ଲା କହିଲେ- ତୁ ମୋର ମିତ୍ର ନା ଖଚରର ବନ୍ଧୁ?
ଲୋକଟି କହିଲା- ମୁଲ୍ଲା, ମୁଁ ତୁମକୁ ପିଲାଟି ଦିନରୁ ଜାଣିଛି। ତେଣୁ ତ କହୁଛି। ତୁମେ ଖଚର କିଣିଲା ପରେ ବି ତା ଉପରେ ବସୁନାହଁ। ଅନ୍ୟମାନେ ଦେଖ କି ଆରାମରେ ଖଚର ପିଠିରେ ବସି ବୁଲୁଛନ୍ତି!
ମୁଲ୍ଲା କହିଲେ- ଯେଉଁମାନେ ଖଚର ପିଠିରେ ବସି ବୁଲୁଛନ୍ତି, ସେମାନଙ୍କୁ ଯାଇ ପଚାର। ତାହା ହେଲେ ଜାଣିବୁ ଯେ ସେମାନଙ୍କ ଖଚରର ସ୍ବାସ୍ଥ୍ୟ ଭଲ ଅଛି, ଅଥଚ ସେମାନଙ୍କ ନିଜ ସ୍ବାସ୍ଥ୍ୟ ବିଗିଡ଼ି ଗଲାଣି।
ଲୋକଟି ପଚାରିଲା- ତେବେ ଏ ଖଚର କିଣିଲ କାହିଁକି?
ମୁଲ୍ଲା କହିଲେ- ସମସ୍ତଙ୍କୁ ଏହା ଦେଖାଇବା ଲାଗି ଯେ ଖଚର କିଣିଲେ ବି ତୁମର ସ୍ବାସ୍ଥ୍ୟ ଭଲ ରହି ପାରିବ, ଯଦି ତୁମେ ମୋ ଭଳି ଖଚର ସହିତ ଚାଲିବ!
ଏହା କହି ଡାକ୍ତର କହିଲେ- ଏଥିରୁ କିଛି ଜ୍ଞାନ ପାଇଲେ ତ!
ମୁଲ୍ଲାଙ୍କ ସ୍ବାସ୍ଥ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)