ଗୋଟିଏ ଅମାନିଆ ପିଲା ଥିଲା। ତା’ର ଦୁଷ୍ଟାମି ପାଇଁ ସେ ସମସ୍ତଙ୍କ ଠାରୁ ମାଡ଼ଗାଳି ଖାଉଥିଲା। ମାଡ଼ ଓ ଗାଳି ତାକୁ ବାଧୁଥିଲା ସତ, କିନ୍ତୁ କେମିତି କେଜାଣି ସେ ନିଜକୁ ନିୟନ୍ତ୍ରଣ କରି ପାରୁ ନ ଥିଲା ଏବଂ ନ କଲା କାମମାନ କରୁଥିଲା। ତା’ର ସାନ ଭାଇ ଥିଲା ତା’ର ସଂପୂର୍ଣ୍ଣ ବିପରୀତ। ତେଣୁ ତାକୁ ସମସ୍ତେ ଭଲ ପାଉଥିଲେ। ଦିନେ ସେ ଏମିତି ଦୁଷ୍ଟାମି କଲା ଯେ ଶ୍ରେଣୀ ଶିକ୍ଷକ ତାଙ୍କ ସମସ୍ତଙ୍କ ସମ୍ମୁଖରେ ଖୁବ୍ ମାଡ଼ ଓ ଅପମାନ ଦେଲେ।
ସେ କାନ୍ଦି କାନ୍ଦି ଘରେ ପହଞ୍ଚିଲା। ତା’ର ମା’ ତାକୁ କୋଳେଇ ନେଲେ। ପିଲାଟି ଭୋ ଭୋ ହୋଇ କାନ୍ଦି ପକାଇ କହିଲା ମା’, ମୋତେ ସମସ୍ତେ ମାରୁଛନ୍ତି କାହିଁକି?
ମୋତେ କେହି ଭଲ ପାଆନ୍ତି ନାହିଁ କାହିଁକି?
ମା’ ତାକୁ ବୁଝାଇ କହିଲେ- ବାବୁ ସେ କଥା ନୁହେଁ। ତୋ କଷ୍ଟର କାରଣ ହେଉଛୁ ତୁ ନିଜେ। ବାହାରୁ ଛାଟ ପଡ଼ିବ ନାହିଁ ବୋଲି ସମସ୍ତଙ୍କ ମନ ଭିତରେ ଛାଟ ରହିଛି। ସେମାନେ ସେ ଛାଟକୁ ବ୍ୟବହାର କରି ନିଜକୁ ରୋକନ୍ତି। ଖରାପ ବାଟରେ ଯାଆନ୍ତି ନାହିଁ। କିନ୍ତୁ, ତୋ ଲାଗି ସେହି ଛାଟ କାମ କରୁନାହିଁ। ତୁ ନିଜକୁ ନିୟନ୍ତ୍ରଣ କରି ପାରୁନାହୁଁ। ଦୁଷ୍ଟାମି କରୁଛୁ। ତେଣୁ ବାହାରୁ ତୋତେ ମାଡ଼ ମିଳୁଛି। ଏହା ଶୁଣି ବାଳକଟି କିଛି ସମୟ ନିରବରେ ବସିଲା। ତା’ ପର ଠାରୁ ତାକୁ ଆଉ ଦୁଷ୍ଟ ହେବାର ଦେଖିବାକୁ ମିଳିଲା ନାହିଁ।