ଥରେ ଜଣେ ଯୁବକ ସିଦ୍ଧ ପୁରୁଷଙ୍କୁ ଭେଟିଲା। ସେ ଜାଣିପାରିଲା ଯେ ସିଦ୍ଧ ପୁରୁଷ ଯାହା କହିବେ ତାହା ଫଳିବ। ତେଣୁ ସେ କହିଲା- ମହାତ୍ମା, ମୋତେ ଏଇ ବର ଦିଅନ୍ତୁ ଯେମିତି ମୁଁ ଧନୀ ହୋଇଯାଏ। ଯୋଗର କଥା। ସେ ଯେଉଁ ସମୟରେ ଏ ବରଟି ମାଗିଲା, ସେଇ ସମୟରେ ହିଁ ସିଦ୍ଧ ପୁରୁଷ ପ୍ରତି ବର୍ଷ କାହାକୁ ନା କାହାକୁ ବର ଦେଇଥାଆନ୍ତି। ସୁତରା˚, ସେ କହିଲେ ତଥାସ୍ତୁ। ତାଙ୍କ କଥା ସରିଛି କି ନାହିଁ ଯୁବକ ହୋଇଗଲା ଜଣେ ବିରାଟ ଧନୀ।
ଧନ ପାଇବା ପରେ ତା’ ମନରେ ଭରି ଉଠିଲା ଅହ˚କାର। ସେ ଧରାକୁ ସରା ମଣିଲା। ସାଧାରଣ ଲୋକଙ୍କୁ ହେୟ ଜ୍ଞାନ କଲା। ତା’ର ଧନକୁ ଦେଖି ଲୋକେ ତାକୁ ସମ୍ମାନ ଦେଲା ବେଳକୁ ସେ ଭାବିଲା ଯେ ସେ ହେଉଛି ଏ ପୃଥିବୀର ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି। କିନ୍ତୁ ତା’ ମନରେ ଏକ ଭୟ ମଧୢ ଦେଖାଦେଲା। ସେ ଭାବିଲା ଏ ଧନ ସ୍ବଳ୍ପକାଳ ସ୍ଥାୟୀ ହେବ ନାହିଁ ତ? ତେଣୁ ସେ ପୁଣି ସେଇ ସିଦ୍ଧପୁରୁଷଙ୍କ ପାଖକୁ ଗଲା। ତାଙ୍କୁ ଏଥର ଅନୁରୋଧ କରି କହିଲା ମୋତେ ବର ଦିଅନ୍ତୁ ଯେମିତି କି ମୁଁ ଜୀବନର ଶେଷ କ୍ଷଣ ପର୍ଯ୍ୟନ୍ତ ଧନୀ ହୋଇ ରହେ।
ଏଥର ସିଦ୍ଧ ପୁରୁଷ ହସିଲେ। ଧନୀ ହୋଇଯାଇଥିବା ଯୁବକଜଣକ ଏଭଳି ହସର କାରଣ ବୁଝି ପ‌ାରିଲା ନାହିଁ। ସେ ପଚାରିଲା- ଆପଣ ଏମିତି ହସୁଛନ୍ତି କାହିଁକି?
ସିଦ୍ଧପୁରୁଷ କହିଲେ- ଶୁଣ ବାବୁ, ଏହି ବର ମାଗିବା ଲାଗି ତୁମେ ଏତେ ବାଟ ଆସିବା ଆବଶ୍ୟକ ନ ଥିଲା। କାରଣ ତୁମେ ମୃତ୍ୟୁ ପର୍ଯ୍ୟନ୍ତ ଧନୀ ହୋଇ ହିଁ ରହିବ। କାରଣ ମୁଁ ଦେଖୁଛି ତୁମ ପଛରେ ମୃତ୍ୟୁ ଦୂତ ଛିଡ଼ା ହୋଇଛନ୍ତି। ତେଣୁ ଏଇ କ୍ଷଣି ତୁମର ମୃତ୍ୟୁ ଘଟିବ।