ଗାଁରେ ଜଣେ ଉଦ୍ଧତ ଜମିଦାର ଥିଲେ। ତାଙ୍କର ଏକମାତ୍ର ପୁତ୍ର ଥିଲା ଆହୁରି ଉଦ୍ଧତ, ଗର୍ବୀ ଓ ଦୁଷ୍ଟ ସ୍ବଭାବର। ଦିନକର କଥା। ଗାଁ ଲୋକେ ଜଣେ ସନ୍ନ୍ୟାସୀଙ୍କୁ ଗାଁକୁ ଆମନ୍ତ୍ରଣ କଲେ। ସାଧୁଙ୍କ ସତ୍ସଙ୍ଗରେ କିଛି ଦିନ କାଟିବା ଥିଲା ଗାଁ ଲୋକଙ୍କ ଉଦ୍ଦେଶ୍ୟ। କିନ୍ତୁ ଗାଁରେ ସାଧୁ ପହଞ୍ଚିଗଲା ପରେ ଜମିଦାରଙ୍କ ପୁଅର ମୁଣ୍ତରେ ଦୁଷ୍ଟ ଚିନ୍ତା ପଶିଲା। ତେଣୁ ସେ ସୁଯୋଗ ଲାଗି ଅପେକ୍ଷା କରି ରହିଲା। ଥରେ ସାଧୁ ବାବା ଏକୁଟିଆ ଥିବା ବେଳେ ଜମିଦାରଙ୍କ ପୁଅ କୁଆଡୁ ଆସି ତାଙ୍କୁ ହଇରାଣ କରିବାକୁ ଲାଗିଲା। ସାଧୁ କିଛି ନ କହିବାରୁ ସେ ଆହୁରି ହରକତ କଲା। ଶେଷକୁ ଧୈର୍ଯ୍ୟହରା ହୋଇ ତାଙ୍କୁ ଆଘାତ କଲା। କିନ୍ତୁ ହଠାତ୍ ଗାଁ ଲୋକେ ପହଞ୍ଚିଯିବାରୁ ସେ ସେଠାରୁ ପଳାଇଗଲା। ଗାଁ ଲୋକେ ଜମିଦାରଙ୍କ ପୁତ୍ରର ସ୍ବଭାବ ବିଷୟରେ ଜାଣିଥିଲେ। ତେଣୁ ସେମାନେ ରାଗି ଯାଇ ତା’ ପଛରେ ଅନୁଧାବନ କରିବାକୁ ବାହାରିଲେ। ସାଧୁ ସେମାନଙ୍କୁ ପଚାରିଲେ- କ’ଣ କରିବାକୁ ଯାଉଛ? ଲୋକେ କହିଲେ- ତାକୁ ପାନେ ଦେବୁ।
ସାଧୁ କହିଲେ- କି ଦୁର୍ବୁଦ୍ଧି! ସେମିତି କରନାହିଁ। ସେ ତ ନିଜେ ନିଆଁରେ ଜଳୁଛି! ତୁମମାନଙ୍କ ଭିତରେ ଥିବା ବାରୁଦରେ ବି ନିଆଁ ଲଗାଇ ଦେଲା? ତୁମେମାନେ ଯାହା କରିବ ତାହା କେବଳ ତାକୁ ଅନୁକରଣ କଲା ଭଳି ହେବ। ତେଣୁ ସେମିତି ହୁଅ ନାହିଁ। ଏବେ ଜାଣ ନିଆଁର ଉତ୍ତର ନିଆଁ ନୁହେଁ, ତା’ର ଉତ୍ତର ପାଣି। ନିଆଁକୁ କେବଳ ଜଳ ହିଁ ଶୀତଳ କରି ପାରେ। ସୁତରାଂ ତୁମମାନଙ୍କ ଶୀତଳ ଆଚରଣ ହିଁ ତାକୁ ପରିବର୍ତ୍ତନ କରି ପାରିବ।