ଅପ୍ରିୟ କଥା

କଥାଟିଏ-ଯାଯାବର

କଲେଜର ବିଭାଗୀୟ ମୁଖ୍ୟଙ୍କ ଉପରେ ସମସ୍ତେ ମନେ ମନେ ବିରକ୍ତ ହେଉଥିଲେ। କାରଣ ସେ ସର୍ବଦା ରୋକଠୋକ ଭାବେ ସତ କହୁଥିଲେ ଏବ˚ ବିଭାଗର ଅଧୢାପକମାନଙ୍କ ଛୋଟ ଭୁଲ୍‌ ବି ସେ ଆବେଗହୀନ ଭାବେ ଦର୍ଶାଇ ଦେଉଥିଲେ। ଦିନେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ତୁମେ ଯେହେତୁ କଠୋର ସତ କହିବାକୁ ଅଭ୍ୟାସରେ ପକାଇ ଦେଲଣି, ତୁମର ବ୍ୟକ୍ତିତ୍ବ ବି ସେଇ ଅନୁସାରେ ବଦଳିଗଲାଣି। ଚାହୁଁ ନ ଥିଲେ ବି ତୁମ ସ୍ବଭାବରେ ରୁକ୍ଷତା ଆସିଗଲାଣି। ଉତ୍ତରରେ ବିଭାଗୀୟ ମୁଖ୍ୟ କହିଲେ- ସତ କଥା କହିବା ହେଉଛି ବଡ଼ କଥା। ତେଣିକି ମୋ ସ୍ବଭାବ ରୁକ୍ଷ ହେଲେ ବି ଚଳିବ।

ଦିନକର କଥା। କଲେଜରେ ଯୋଗ ଦେଲେ ଜଣେ ତରୁଣ ଅଧୢାପକ। ତାଙ୍କୁ ସହକର୍ମୀମାନେ ଚେତାଇ ଦେଲେ- ଭାଇ ଜଗି ରଖି ଚଳିବ। ତା’ ନ ହେଲେ ସମସ୍ତଙ୍କ ସାମନାରେ କେତେବେଳେ ଅପମାନିତ ହେବାକୁ ପଡ଼ିବ। କାରଣ ସାର‌୍‌ ସବୁ ବେଳେ ମୁହେଁ ମୁହେଁ ଅପ୍ରିୟ ସତଟି କହନ୍ତି। ତରୁଣ ଅଧୢାପକ କିଛି କହିଲେ ନାହିଁ। କିଛି ଦିନ ପାଠ ପଢ଼ାଇଲା ପରେ ଦିନେ ତରୁଣ ଅଧୢାପକ ବିଭାଗୀୟ ମୁଖ୍ୟଙ୍କୁ ସମସ୍ତଙ୍କ ସାମନାରେ କହିଲେ- ଆପଣଙ୍କ ପାଠ ପଢ଼ାରେ ପିଲାମାନେ ସନ୍ତୁଷ୍ଟ ନୁହନ୍ତି। ସେମାନେ ବିଷୟ ଭଲ ଭାବେ ବୁଝିପାରୁନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି।

ବିଭାଗୀୟ ମୁଖ୍ୟ ଏହା ଶୁଣି କହିଲେ- ଯଦି ଏମିତି କଥା, ମୁଁ ପିଲାମାନଙ୍କ ସହିତ କଥା ହେବି ଓ ନିଜକୁ ସୁଧାରିବାର ଚେଷ୍ଟା କରିବି। ତୁମେ ଏ କଥାଟି ମୋ ନଜରକୁ ଆଣିଥିବାରୁ ଧନ୍ୟବାଦ। ତରୁଣଙ୍କ ରୋକଠୋକ କଥା ଶୁଣି କି ପ୍ରତିକ୍ରିୟା ମିଳିବ ବୋଲି ମନେ ମନେ ପ୍ରମାଦ ଗଣୁଥିବା ଅଧୢାପକମାନେ ବିସ୍ମିତ ହେଲେ। ତରୁଣ ଅଧୢାପକ ସେମାନଙ୍କୁ କହିଲେ- ଆମ ସାର‌୍‌ ଜଣେ ନମସ୍ୟ ବ୍ୟକ୍ତି। କାରଣ ସେ କେବଳ ଅପ୍ରିୟ କଥା କହନ୍ତି ନାହିଁ, ତାଙ୍କ ବିରୋଧରେ ଅପ୍ରିୟ ସତ କଥା ଶୁଣନ୍ତି ଓ ତା’ ଉପରେ ଗୁରୁତ୍ବ ଦିଅନ୍ତି।

ସମ୍ବନ୍ଧିତ ଖବର