କ୍ଷମାର ମହତ୍ତ୍ବ

କଥାଟିଏ-ଯାଯାବର

ଜଣେ ତରୁଣ ସନ୍ନ୍ୟାସୀ ଅନେକ ସାଧନା ପରେ ନିଜ ଗୁରୁଙ୍କ ସହିତ ଦେଖା କରିବା ଲାଗି ଗଲେ। ଗୁରୁ ତାଙ୍କୁ ଦେଖି ତାଙ୍କ ଆଧୢାତ୍ମିକ ଯାତ୍ରାର ପ୍ରଗତି ବିଷୟରେ ପଚାରିବାରୁ ତରୁଣ ସନ୍ନ୍ୟାସୀ କହିଲେ- ମୋ ଜୀବନର ପ୍ରତିଟି କ୍ଷଣ ମୁଁ ଈଶ୍ବରଙ୍କ ନାମ ସ୍ମରଣରେ ତଥା ଧୢାନରେ ଲଗାଉଛି। ଈଶ୍ବରଙ୍କୁ ସଦା ବେଳେ ଗୋଟିଏ କଥା କହୁଛି – ହେ, ପ୍ରଭୁ ମୋତେ କ୍ଷମା କର।
ଗୁରୁ କହିଲେ- ତୁମେ ଠିକଣା ବାଟରେ ଅଛ। କିନ୍ତୁ କ୍ଷମା ମାଗିବା ସହିତ ତୁମେ କ୍ଷମା କରିବା ଉପରେ ମଧ୍ୟ ଗୁରୁତ୍ବ ଦିଅ।
ତରୁଣ ସନ୍ନ୍ୟାସୀ ଏହା ଶୁଣି କହିଲେ- ମହାତ୍ମା, ମୋ ଶତ୍ରୁମାନଙ୍କ ଉପରେ ମଧ୍ୟ ମୋ ମନରେ ଆଦୌ ବିଦ୍ବେଷ ଭାବ ନାହିଁ। ତେଣୁ ମୁଁ କାହାକୁ କ୍ଷମା କରିବା କଥା ଉଠୁଛି କେଉଁଠି?
ଗୁରୁ କହିଲେ- ତୁମେ କଅଣ ଭାବୁଛ ଯେ ଈଶ୍ବର ତୁମ ଉପରେ ଆକ୍ରୋଶ ରଖିଛନ୍ତି? ତାହା ତ ନୁହେଁ। ତଥାପି ତୁମେ ସବୁଦିନ ଈଶ୍ବରଙ୍କୁ କ୍ଷମା ମାଗୁୁଛ। କଥା ହେଲା, ପୃଥିବୀର ଏକ ମହାନ କାମ ହେଲା କ୍ଷମା ମାଗିବା। ତା ଠାରୁ ଅଧିକ ମହାନ କାମ ହେଲା କ୍ଷମା କରିବା। ଏବେ ତୁମେ ମୋତେ କହିଲ ଯେ ଶତ୍ରୁମାନଙ୍କ ବିରୋଧରେ ତୁମ ମନରେ ଆଦୌ ଆକ୍ରୋଶ ନାହିଁ। କିନ୍ତୁ ଯେଉଁମାନେ ଶତ୍ରୁ, ସେମାନେ ତୁମ ମନରେ ଏ ଯାବତ୍‌ ଚିହ୍ନିତ ହୋଇ ରହିଛନ୍ତି। ସେମାନଙ୍କୁ କ୍ଷମା କରିଦେବା ଅର୍ଥ ହେଲା ସେମାନଙ୍କ ଠାରେ ଲାଗିଥିବା ସେଇ ଚିହ୍ନକୁ ସ˚ପୂର୍ଣ୍ଣ ଭାବେ ଲିଭାଇଦେବା। ଶତ୍ରୁମାନଙ୍କୁ କ୍ଷମା କରିଦେଲ ଅର୍ଥ ତୁମ ଲାଗି ଶତ୍ରୁର ସତ୍ତା ହଜିଯିବା। ଏହା ହେଉଛି ଶତ୍ରୁ ବିନାଶର ସବୁଠାରୁ ଭଲ ମାର୍ଗ।

ସମ୍ବନ୍ଧିତ ଖବର