ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ଥିଲେ। ସେମାନଙ୍କୁ କୁହାଗଲା ଯେ ସେମାନେ ଏମିତି କିଛି ଆଶା ମନରେ ପୋଷଣ କରନ୍ତୁ, ଯାହା ଏ ଜନ୍ମରେ ଅପୂରଣୀୟ ହୋଇ ରହି ଯାଇଛି ଏବଂ ପରଜନ୍ମରେ ସେମାନେ ତାହା ପୂରଣ କରି ପାରିବେ।
ତେଣୁ ଜଣେ ଭଗବାନଙ୍କୁ ଡାକି କହିଲେ- ପ୍ରଭୁ ଆର ଜନ୍ମରେ ମୋତେ ଏମିତି କରନ୍ତୁ, ଯେମିତି କି ମୁଁ କେବଳ ଅନ୍ୟକୁ ଦେଇ ଚାଲେ। ଅନ୍ୟ ଜଣକ କିନ୍ତୁ ଭଗବାନଙ୍କୁ ଠିକ୍‌ ତାର ବିପରୀତଟି ମାଗି କହିଲେ- ପ୍ରଭୁ ମୋତେ ଏମିତି ଜଣେ କରି ଜନ୍ମ କର ଯେମିତି କି ମୋତେ ସମସ୍ତେ ଦିଅନ୍ତୁ ଏବଂ ମୁଁ କେବଳ ପାଇ ଚାଲେ।
ଭଗବାନ ଉଭୟଙ୍କ କଥା ଶୁଣିଲେ। ତେଣୁ ପ୍ରଥମ ଜଣଙ୍କୁ ଜଣେ ଅତି ଧନୀଙ୍କ ଘରେ ଜନ୍ମ ଦେଲେ। ସେ ବଡ଼ ହେବା ପରେ କେବଳ ଦାନ କରି ଚାଲିଲେ। ତାଙ୍କ ଦାନର ପରିମାଣ ଏମିତି ହେଲା ଯେ ତାଙ୍କ ସଂପତ୍ତି ଅକୁଳାଣ ପଡ଼ିଲା। କିନ୍ତୁ ଭଗବାନ ନିଜ ମାନ ରକ୍ଷା ଲାଗି ତାଙ୍କୁ ଆହୁରି ଦେଇ ଚାଲିଲେ।
ଦ୍ବିତୀୟ ବ୍ୟକ୍ତି ଜଣକ ଜଣେ ଭିକ୍ଷୁକ ପରିବାରରେ ଜନ୍ମ ନେଲେ। ବାଳକ ଅବସ୍ଥାରୁ ତାଙ୍କୁ ଭିକ୍ଷା ମାଗିବାକୁ ପଡ଼ିଲା। ସକାଳୁ ସଂଧ୍ୟା ଯାଏ ସେ କେବଳ ଅନ୍ୟ ଠାରୁ ପାଇ ଚାଲିଲେ।
ଏମିତି ଭାବେ ଭଗବାନ ଉଭୟଙ୍କ ଇଚ୍ଛା ପୂରଣ କଲେ।