ପଇସା ପାଇବାର ମଜା

କଥାଟିଏ-ଯାଯାବର

ଗୋଟିଏ ଗଛ ମୂଳରେ ବସିଥିଲେ ମୁଲ୍ଲା ନସିରୁଦ୍ଦିନ। ଏଇ ସମୟରେ ଜଣେ ଲୋକ ସେଇ ବାଟେ ଯାଉଥିଲା। ହଠାତ୍‌ ସେ ରାସ୍ତାରେ ଅଟକି ଗଲା। ତା ପରେ ତଳକୁ ଚାହିଁ ରାସ୍ତା ଉପରେ ବସି ପଡ଼ି କଅଣ ଗୋଟାଏ ଗୋଟାଇଲା। ତା ମୁହଁ ଆନନ୍ଦରେ ଉଲୁସି ଉଠିଲା। ସେ ନସିରୁଦ୍ଦିନ ଆଡ଼କୁ ରାସ୍ତାରୁ ଉଠାଇଥିବା ମୁଦ୍ରାକୁ ଦେଖାଇ କହିଲା- ୟାକୁ ଯେ କହନ୍ତି ମଜା। ରାସ୍ତାରୁ ପଇସା ପାଇବା ଭଳି ମଜା ଆଉ କିଛି ନାହିଁ। ଏହା କହି ସେ ସୁଷୁରି ମାରି ମାରି ତା ବାଟରେ ଚାଲିଗଲା।

ମୁଲ୍ଲା ନସିରୁଦ୍ଦିନ ଏଇ କଥା ପଦକ ଶୁଣି ଜାଗ୍ରତ ହୋଇଗଲେ। ତାଙ୍କ ପାଖରେ ମାତ୍ର ଦୁଇଟି ମୁଦ୍ରା ଥିଲା। ସକାଳ ଜଳଖିଆ ଖାଇବା ଲାଗି ସେ ତାହା ରଖିଥିଲେ। ଲୋକଟିର କଥା ଶୁଣି ସେ ରାସ୍ତା ମଝିକୁ ଚାଲିଯାଇ ମୁଦ୍ରା ଦୁଇଟିକୁ ରାସ୍ତା ଉପରକୁ ଫିଙ୍ଗି ଦେଇ ପୁଣି ସେଗୁଡ଼ିକୁ ଗୋଟାଇଲେ ଏବ˚ ମଜା ମିଳିବ ବୋଲି ଅପେକ୍ଷା କରି ରହିଲେ। କିନ୍ତୁ ମଜା ମିଳିଲା ନାହିଁ। ଏମିତି କିଛି ଥର କରିବା ପରେ ମଜା ନ ମିଳିବାରୁ ରାଗିଯାଇ ମୁଦ୍ରା ଦୁଇଟିକୁ ସେ ଜୋରରେ ଛାଟିଦେଲ। ଏବେ ସେ ଖୋଜି ଖୋଜି ଆଉ ମୁଦ୍ରା ଦୁଇଟିକୁ ପାଇଲେ ନାହିଁ। ସେ ମନେ ମନେ ଦୁଃଖୀ ହୋଇଗଲେ ଏବ˚ ସେଇ ଲୋକ ଉପରେ ରାଗିଗଲେ। ମଜା ଖୋଜୁଖୋଜୁ ମୁଦ୍ରା ଦୁଇଟି ହରାଇଲି ବୋଲି ଭାବିଲେ। ଏମିତି ବସିଥିବା ବେଳେ ସେଇ ଲୋକ ସେଇବାଟେ ଫେରିଲା। ଏବେ ସେ ଗୋଟିଏ ବୁଦା ମୂଳକୁ ଚାହିଁଲା ଏବ˚ ଦଉଡ଼ି ଯାଇ କଅଣ ଗୋଟାଇଲା। ତା ପରେ ମୁଲ୍ଲାଙ୍କୁ ଦୁଇଟି ଯାକ ମୁଦ୍ରା ଦେଖାଇ କହିଲା- ଆଜି ଭଗବାନ ମୋ ଉପରେ ଭାରି ଦୟାବାନ। ମୋତେ କେବଳ ମଜା ଦେବାରେ ଲାଗିଛନ୍ତି। ଦେଖ ମୁଁ ଆଉ ଦୁଇଟି ପାଇଲିଣି। ଓଃ କି ମଜା।
ମୁଲ୍ଲା ହାଁ ହାଁ କରୁ କରୁ ସେ ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର